ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ
ନୂଆଦିଲ୍ଲୀ (ସଂକେତ ଟିଭି): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ପ୍ରତିଷ୍ଠାତା ଶିବୁ ସୋରେନ ଆଜି ଦିଲ୍ଲୀରେ ଦେହାନ୍ତ ହୋଇଛି । ୮୧ ବର୍ଷ ବୟସରେ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଶେଷ ନିଶ୍ୱାସ ହୋଇଛି ।
ଦୀର୍ଘଦିନ ଧରି କିଡନୀ ସମସ୍ୟା ସହିତ ସଂଘର୍ଷ କରୁଥିବା ଶିବୁ ସୋରେନ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଗତ ମାସରୁ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିବାରୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ୮:୪୮ ଘଟିକାରେ ତାଙ୍କର ଦେହାନ୍ତ ଘଟିଛି ।
ତାଙ୍କ ପୁଅ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟରରେ ଏହି ଦୁଃଖଦ ବାର୍ତ୍ତା ଜଣାଇଛନ୍ତି । ତାଙ୍କ ପୋଷ୍ଟରେ ଲେଖାଯାଇଛି, “ସମ୍ମାନିତ ଦିଶୋମ ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । ଆଜି ମୁଁ ଶୂନ୍ୟ ହୋଇଗଲି ।” ହେମନ୍ତ ଏବେ ଦିଲ୍ଲୀରେ ଅଛନ୍ତି ଏବଂ ତାଙ୍କ ସହ ପତ୍ନୀ କଳ୍ପନା ସୋରେନ ମଧ୍ୟ ଉପସ୍ଥିତ ଥିଲେ ।
ଶିବୁ ସୋରେନ ଝାଡ଼ଖଣ୍ଡର ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଝାଡ଼ଖଣ୍ଡ ଗଠନ ପରେ ସେ ତିନିଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସାତଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିବା ସୋରେନ ୨୦୦୪ରେ ମନମୋହନ ସିଂହ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କ ବିୟୋଗ ଝାଡ଼ଖଣ୍ଡ ଏବଂ ଦେଶର ରାଜନୈତିକ ଜଗତକୁ ଏକ ଗଭୀର ଆଘାତ ଦେଇଛି ।
