ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ
ନୂଆଦିଲ୍ଲୀ (ସଂକେତ ଟିଭି): ଜମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଆଜି ପରଲୋକଗମନ କରିଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥତା ଭୋଗିବା ପରେ ଆଜି ଦିନସାରା ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।
ସୂଚନା ଅନୁଯାୟୀ, ସତ୍ୟପାଲ ମଲିକ ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ମେ’ ୧୧ ତାରିଖରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନେକ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଆଜି ସେ ପରାଜୟ ବରଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ସତ୍ୟପାଲ ମଲିକ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ଶେଷ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳରେ ୫ ଅଗଷ୍ଟ ୨୦୧୯ରେ ଧାରା ୩୭୦ ରଦ୍ଦ କରାଯାଇଥିଲା। ଏହା ସହିତ ଜମ୍ମୁ ଓ କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରାଯାଇ ଏହାକୁ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ଆଜି ଏହି ନିଷ୍ପତ୍ତିର ଷଷ୍ଠ ବାର୍ଷିକୀ ଥିବାବେଳେ ସତ୍ୟପାଲ ମଲିକଙ୍କ ଦେହାନ୍ତ ଘଟିଛି।
ଜମ୍ମୁ ଓ କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯିବା ପରେ ସତ୍ୟପାଲ ମଲିକଙ୍କୁ ଗୋଆର ୧୮ତମ ରାଜ୍ୟପାଳ ଭାବରେ ନିଯୁକ୍ତି ଦିଆଯାଇଥିଲା। ସେ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ମେଘାଳୟର ୨୧ତମ ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ସତ୍ୟପାଲ ମଲିକ ୨୪ ଜୁଲାଇ ୧୯୪୬ରେ ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ହିସାବଦା ଗାଁରେ ଜନ୍ମଗ୍ରହଣ କରିଥିଲେ। ମିରଟ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଏବଂ ଏଲଏଲବି ଡିଗ୍ରୀ ହାସଲ କରିଥିବା ସତ୍ୟପାଲ ୧୯୬୮-୬୯ ମସିହାରେ ମିରଟ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ, ଯାହା ତାଙ୍କ ରାଜନୈତିକ ଜୀବନର ଆରମ୍ଭ ଥିଲା। ପରବର୍ତ୍ତୀ ସମୟରେ ସେ ଉତ୍ତରପ୍ରଦେଶ ବିଧାନସଭା, ରାଜ୍ୟସଭା ଏବଂ ଲୋକସଭାରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ।
୨୧ ମାର୍ଚ୍ଚ ୨୦୧୮ରେ ସେ ଓଡ଼ିଶାର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୮ ମେ’ ୨୦୧୮ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ। ତାଙ୍କର ମୃତ୍ୟୁରେ ଦେଶ ଏକ ପ୍ରତିଷ୍ଠିତ ରାଜନେତା ଓ ପ୍ରଶାସକକୁ ହରାଇଛି।
