କେନ୍ଦ୍ରାପଡା ଛାତ୍ରୀ ଆତ୍ମହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି
ଭୁବନେଶ୍ବର (ସଂକେତ ଟିଭି): କେନ୍ଦ୍ରାପଡ଼ାରେ ଏକ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଜେଡି ଦଳ କଡ଼ା ପ୍ରତିକ୍ରିୟା ଦେଇଛି। ଦଳର ବରିଷ୍ଠ ନେତା ଓ ଆଳି ବିଧାୟକ ପ୍ରତାପ ଦେବ ଦାବି କରିଛନ୍ତି ଯେ, ଯଦି ପୋଲିସ୍ ଆରମ୍ଭରୁ ଠିକ୍ ପଦକ୍ଷେପ ନେଇଥାନ୍ତେ, ତେବେ ଛାତ୍ରୀଜଣକ ଏବେ ବଞ୍ଚିଥାଆନ୍ତେ।
ପୋଲିସ୍ ଘଟଣାକୁ ଗମ୍ଭୀରତାର ସହିତ ନେଇନାହିଁ ବୋଲି ଅଭିଯୋଗ କରାଯାଇଛି। ମାମଲାକୁ ଖାମଖିଆଲି ଭାବେ ନେଇ ଅଶ୍ଳୀଳ ଭିଡିଓ ଡିଲିଟ୍ କରାଯାଇଥିବା ଏବଂ ମୋବାଇଲ୍ ସୁଇଚ୍ ଅଫ୍ କରିବାକୁ କୁହାଯାଇଥିବା ଆଭାସ ମିଳୁଛି। ବିଜେଡି ନେତାଙ୍କ ମତରେ, ଯଦି ପୋଲିସ୍ ସଠିକ୍ ସମୟରେ କାର୍ଯ୍ୟକାରୀ ହୋଇଥାନ୍ତେ, ତେବେ ଏପରି ମର୍ମାନ୍ତକ ଘଟଣା ଘଟିନଥାନ୍ତା।
ଏହି ଘଟଣାକୁ ନେଇ ବିଜେଡି ପୋଲିସ୍ ପ୍ରଶାସନ ଉପରେ ଗୁରୁତର ଦାୟିତ୍ୱହୀନତାର ଅଭିଯୋଗ କରିଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ବିଜେଡି । ସେହିପରି, ରାଜ୍ୟ ସରକାରଙ୍କ ଆଇନ୍-ଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ଦଳଟି। ବର୍ତ୍ତମାନ ସମୟରେ ରାଜ୍ୟରେ ନାରୀ ହିଂସା ଓ ଅପରାଧ ବୃଦ୍ଧି ପାଇଛି, ଯାହାକୁ ନେଇ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଦୁର୍ବଳ ହୋଇଥିବାର ଆଭାସ ମିଳୁଛି।
