FeaturedLatestNews

ବୁର୍ଲା ଭିମସାର ଡାକ୍ତରଖାନାର ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର (ସଂକେତ ଟିଭି): ବୁର୍ଲା ଭିମସାର ଡାକ୍ତରଖାନାରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣାଟି ଇଏନଟି ବିଭାଗର ଛାତରୁ ଘଟିଥିବା ଜଣାଯାଇଛି। ଯୁବକ ଜଣକ ପ୍ରଥମ ମହଲାରୁ ଡେଇଁ ପଡ଼ିଥିବାରୁ ଗୁରୁତର ଆହତ ହୋଇଛନ୍ତି।

ସୂତ୍ର ଅନୁଯାୟୀ, ଆତ୍ମହତ୍ୟା ଉଦ୍ୟମକାରୀ ଯୁବକ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଭାଟିଗାଁର ବାସିନ୍ଦା ସୁବୀର ସିରଦାର (୨୯) ବୋଲି ଚିହ୍ନଟ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟା ଉଦ୍ୟମର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ପୂର୍ବରୁ, ସୁବୀର ମଙ୍ଗଳବାର ରାତିରେ ଏକ ଧାରୁଆ ଅସ୍ତ୍ରରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ବରଗଡ଼ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ଦିଆଯାଇଥିଲା ଏବଂ ପରେ ଗୁରୁତର ଅବସ୍ଥାରେ ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ତାଙ୍କର ଅପରେଶନ୍ ହେବାର ଥିଲା, ମାତ୍ର ଓଟି ସମ୍ମୁଖରେ ଅପେକ୍ଷା କରିବା ସମୟରେ ସେ ଛାତରୁ ଡେଇଁ ପଡ଼ିଥିଲେ।

ଘଟଣା ପରେ ତାଙ୍କୁ ଦ୍ରୁତ ଚିକିତ୍ସା ପ୍ରଦାନ କରାଯାଇଛି ଏବଂ ଚିକିତ୍ସକ ଦଳ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି। ପୋଲିସ୍ ଘଟଣାଟିର ତଦନ୍ତ କରୁଛି ଏବଂ ସୁବୀରଙ୍କ ପରିବାରୀୟ କାରଣ ଖୋଜିବାକୁ ଚେଷ୍ଟା କରିଛି।