ହଟାଯାଇଥିବା ଭୋଟରଙ୍କ ତଥ୍ୟ ସାର୍ବଜନୀନ କରିବା ପାଇଁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ସଂକେତ ଟିଭି): ସୁପ୍ରିମକୋର୍ଟରେ ବିହାରର ଭୋଟର ତାଲିକା ସଂଶୋଧନ (ଏସଆଇଆର) ମାମଲାର ଶୁଣାଣି ଆଜି ମଧ୍ୟ ଜାରି ରହିଛି। ଏହି ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରିଥିଲେ ଯେ, କାହିଁକି ହଟାଯାଇଥିବା ୬୫ ଲକ୍ଷ ଭୋଟରଙ୍କ ତଥ୍ୟ ସାର୍ବଜନୀନ ଭାବେ ପ୍ରକାଶ କରାଯାଇନାହିଁ? କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ତଥ୍ୟ ସାର୍ବଜନୀନ କରାଯାଉ। ନିର୍ବାଚନ କମିସନ ଏହାକୁ ମାନ୍ୟ କରି କହିଛନ୍ତି, “ଯଦି ଏହା ଆପଣଙ୍କ ନିର୍ଦ୍ଦେଶ, ଆମେ ଏହା କରିବୁ।”
ଶୁଣାଣି ସମୟରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, “ଆମେ ଚାହୁଁନାହୁଁ ଯେ ନାଗରିକଙ୍କ ଅଧିକାର ରାଜନୈତିକ ଦଳର କର୍ମୀଙ୍କ ଉପରେ ନିର୍ଭର କରୁ।” ସୁପ୍ରିମକୋର୍ଟ ମତ ଦେଇଛନ୍ତି ଯେ ଡ୍ରାଫ୍ଟ ତାଲିକାରେ ମୃତ କିମ୍ବା ଜୀବିତ ଲୋକଙ୍କ ବିଷୟରେ ଗମ୍ଭୀର ବିବାଦ ରହିଛି। କୋର୍ଟ କମିସନଙ୍କୁ ପଚାରିଛନ୍ତି ଯେ, ଏପରି ଲୋକଙ୍କୁ ଚିହ୍ନଟ କରିବା ପାଇଁ କି ବ୍ୟବସ୍ଥା ଅଛି, ଯାହା ଦ୍ୱାରା ପରିବାର ସଦସ୍ୟମାନେ ଜାଣିପାରିବେ ଯେ ସେମାନଙ୍କ ନାମ ମୃତ ଭାବରେ ତାଲିକାରେ ଅଛି।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଡିଲିଟ ହୋଇଥିବା ଭୋଟରଙ୍କ ତାଲିକା ମଧ୍ୟ ନିର୍ବାଚନ କମିସନର ୱେବସାଇଟରେ ରଖାଯିବା ଉଚିତ୍, ଯାହା ଦ୍ୱାରା ଲୋକେ ବାସ୍ତବତା ଜାଣିପାରିବେ। ପ୍ରତ୍ୟେକ ଭୋଟର ଡିଲିଟ ହେବାର କାରଣ ମଧ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯିବା ଆବଶ୍ୟକ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
