FeaturedLatestNews

ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲେଣ୍ଟିୟର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ମହିଳା ଓ ଶିଶୁ ସୁରକ୍ଷା ଦିଗରେ ଚିନ୍ତା ବର୍ଦ୍ଧନ କରୁଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ପ୍ରତ୍ୟେକ ପଞ୍ଚାୟତରେ ଜଣେ ଲେଖାଏଁ ପାରା ଲିଗାଲ ଭଲେଣ୍ଟିୟର (ଆଇନଗତ ସ୍ୱେଚ୍ଛାସେବୀ) ନିଯୁକ୍ତ ହେବେ। ମହିଳା ବିରୋଧୀ ଅପରାଧ ଘଟିଲେ ପୀଡ଼ିତାଙ୍କୁ ତ୍ୱରିତ ଭାବରେ ନ୍ୟାୟ ଦେବାରେ ଏମାନେ ସାହାଯ୍ୟ କରିବେ।

ଏହି ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆଇନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ୍ ଏବଂ ଓଡିଶା ଲିଗାଲ ସର୍ଭିସେସ୍ ଅଥରିଟିର ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ୍ କହିଛନ୍ତି ଯେ ସରକାର ଗ୍ରାମାଞ୍ଚଳର ସାଧାରଣ ପରିବାର ଏବଂ ଜନଜାତୀୟ ପରିବାରଙ୍କୁ ନ୍ୟାୟିକ ଅଧିକାର ପ୍ରଦାନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ନ୍ୟାୟିକ ଅଧିକାର ବାବଦରେ ସାଧାରଣ ମହିଳାଙ୍କୁ ସଚେତନ କରାଯିବ ଏବଂ ଏହି କାର୍ଯ୍ୟରେ ଆଙ୍ଗନବାଡ଼ୀ କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ।

ପାରା ଲିଗାଲ ଭଲଣ୍ଟିୟରମାନେ ପ୍ରଥମ ସମ୍ପର୍କ ସ୍ଥାପନକାରୀ ଭାବେ କାର୍ଯ୍ୟ କରିବେ। ଯେକୌଣସି ମହିଳା ଯଦି ନିର୍ଯାତନା, ଘରୋଇ ହିଂସା କିମ୍ବା ଅନ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ପ୍ରଥମେ ଏହି ଭଲଣ୍ଟିୟରଙ୍କୁ ଜଣାଇପାରିବେ। ଭଲଣ୍ଟିୟରମାନେ ନ୍ୟାୟିକ ସହାୟତା ଦେବା ସହିତ ଅଭିଯୋଗକୁ ଥାନା ଏବଂ ଆବଶ୍ୟକ ସ୍ଥଳେ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବାରେ ମଧ୍ୟ ସାହାଯ୍ୟ କରିବେ।

ଆଗାମୀ ଦିନଗୁଡିକରେ ଏହି କାର୍ଯ୍ୟକ୍ରମ ସହିତ ପଞ୍ଚାୟତିରାଜ ବିଭାଗ ଏବଂ ଏସସିଏସଟି (SCST) ବିକାଶ ବିଭାଗକୁ ମଧ୍ୟ ଯୋଡ଼ାଯିବା ନିଶ୍ଚିତ କରାଯାଇଛି, ଯାହାଦ୍ୱାରା ଅଧିକ ସଂଖ୍ୟକ ଲୋକ ଏହାର ଲାଭ ପାଇପାରିବେ।