ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ: ୧୪ଟି ନୂତନ ଉପ-କମିଟି ଗଠନ
ପୁରୀ (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ଗଠିତ ପରିଚାଳନା କମିଟିର ପ୍ରଥମ ବୈଠକ ବୁଧବାର ସମାପ୍ତ ହୋଇଛି। ବୈଠକରେ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ଗତ ଉଚ୍ଚସ୍ତରୀୟ କମିଟି ବୈଠକର ବିବରଣୀକୁ ଦୃଢୀକରଣ କରାଯାଇଛି।
ମୁଖ୍ୟ ପରିଚାଳନା କମିଟିର କାର୍ଯ୍ୟକୁ ସୁଚାରୁ ଭାବରେ ପରିଚାଳନା କରିବା ପାଇଁ ମୋଟ ୧୪ଟି ଉପ-କମିଟି (ସବକମିଟି) ଗଠନ କରାଯାଇଛି। ଏଥିରେ ଅର୍ଥନୀତି, ରତ୍ନଭଣ୍ଡାର, ଅପିଲ୍ ଏବଂ ପ୍ରଥମଥର ପାଇଁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଅଲଗା କମିଟି ଗଠିତ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା କମିଟିରେ ଅଧ୍ୟକ୍ଷ ଭାବେ ରହିଛନ୍ତି ଶ୍ରୀ ଗିରିଶ୍ ମୁର୍ମୁ। ଜିଲ୍ଲାପାଳ, ଏସପି ଏବଂ ସେବାୟତମାନେ ଏହାର ସଦସ୍ୟ ରହିବେ। ପ୍ରତ୍ୟେକ ଉପ-କମିଟିରେ ପରିଚାଳନା କମିଟିର ଜଣେ ଲେଖାଏଁ ସଭ୍ୟ ରହିବେ।
ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପ-କମିଟିଗୁଡିକ ହେଲା: ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା ଓ ପ୍ରକାଶନ, ସେବକ କଲ୍ୟାଣ, ଭୂମି (ଲ୍ୟାଣ୍ଡ୍ ସବକମିଟି), ପ୍ରକଳ୍ପ ସାଂସ୍କୃତିକ, ଶ୍ରୀଜଗନ୍ନାଥ ମନ୍ଦିର ପେନସନ୍ ଟ୍ରଷ୍ଟ ବୋର୍ଡ, ସଂସ୍ଥା, ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନ ବିଧି ଉପ-କମିଟି।
ବୈଠକରେ ନାଟମଣ୍ଡପରେ ଧାଡ଼ି ଦର୍ଶନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହାକୁ ଖୁବ୍ ଶୀଘ୍ର ଲାଗୁ କରାଯିବା ସ୍ଥିର ହୋଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯିବ ଯାହାର ନେତୃତ୍ୱରେ ଜିଲ୍ଲାପାଳ, ଏସପି, ୫ ଜଣ ସେବକ ପ୍ରତିନିଧି, ଓଡିଶା ଭ୍ରମଣ ସେବା (ଓବିସିସି) ଏବଂ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ର ପ୍ରତିନିଧି ରହିବେ। ଧାଡ଼ି ଦର୍ଶନ ଯେପରି ନୀତି-କାଳକ୍ରମକୁ ପ୍ରଭାବିତ ନକରେ, ସେଥିପାଇଁ ପ୍ରଥମେ ଏହା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ। ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ଏଏସଆଇଙ୍କ ଅନୁମତି ମଧ୍ୟ ମିଳିଛି।
ଏହା ବ୍ୟତୀତ, ଦିବ୍ୟାଙ୍ଗ ଭକ୍ତମାନଙ୍କ ପାଇଁ ଉତ୍ତରଦ୍ୱାରରେ ରାମ୍ପ୍ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି।
ଇସ୍କନ (ISKCON) ତରଫରୁ ‘ଅଦିନିଆ ରଥଯାତ୍ରା’ ଆୟୋଜନ ଏବଂ ‘ଜଗନ୍ନାଥ ଧାମ୍’ ଶବ୍ଦର ବ୍ୟବହାର ନେଇ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛି। ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା ୬ ତାରିଖରେ ଗଜପତି ମହାରାଜା ଏକ ପ୍ରେସବିଜ୍ଞପ୍ତି ଜାରି କରିବେ। ପରବର୍ତ୍ତୀ ସୋପାନ ଭାବେ ଏହି ବିଷୟଟି ଇସ୍କନର ଗଭର୍ଣ୍ଣିଂ ବଡ଼ ପାଖକୁ ପଠାଯିବ ଏବଂ ସ୍ପଷ୍ଟ କରାଯିବ ଯେ ସେମାନେ ‘ଜଗନ୍ନାଥ ଧାମ୍’ ଶବ୍ଦର କୌଣସି ପ୍ରକାରର ଅପବ୍ୟବହାର କରିପାରିବେ ନାହିଁ।
ସଂସଦ ଭବନରେ ରଥଚକ୍ରର ଏକ ପ୍ରତିକୃତି ସ୍ଥାପନ କରିବା ପାଇଁ ପରିଚାଳନା କମିଟି ଅନୁମୋଦନ ଦେଇଛି। ଏହିପରି ଶ୍ରୀମନ୍ଦିର ଭିତରେ ମାତୃ ସ୍ତନ୍ୟପାନ ଗୃହ (Breastfeeding Room) କାର୍ଯ୍ୟକ୍ଷମ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି ଏବଂ ମୁଖ୍ୟ ପ୍ରଶାସକ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।