ଡିଜେ ଗାଡ଼ିର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ ଲାଗିବ ଅଙ୍କୁଶ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଡିଜେ ଗାଡ଼ିର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ କଡ଼ା ନିଷେଧାତ୍ମକ ସର୍କୁଲାର ଜାରି କରାଗଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିର୍ଦ୍ଦେଶକ୍ରମେ ଜାରି କରାଯାଇଥିବା ଏହି ସର୍କୁଲାର ଅନୁଯାୟୀ, ଗାଡ଼ିର ମନଇଛା ଉଚ୍ଚତା, ଦୈର୍ଘ୍ୟ କିମ୍ବା ପ୍ରସ୍ଥ ବୃଦ୍ଧି କରିବାକୁ ମିଳିବ ନାହିଁ । ଆଇନ ବିରୁଦ୍ଧରେ ଗାଡ଼ିର ଢାଞ୍ଚା ପରିବର୍ତ୍ତନ କରିଥିଲେ ତାହାର ଆରସି (RC) ଓ ଫିଟନେସ୍ ବାତିଲ କରାଯିବା ସହ ଜରିମାନା ମଧ୍ୟ ଲଗାଯିବ ।
ଅନେକ ସମୟରେ ଡିଜେ ଗାଡ଼ି ଯୋଗୁଁ ଦୁର୍ଘଟଣା ଘଟିଥାଏ । କେଉଁଠି ବିଦ୍ୟୁତ ତାର ଲାଗି ଜୀବନହାନୀ ଘଟୁଥିବା ବେଳେ, ଆଉ କେଉଁଠି ଅତ୍ୟଧିକ ଡିଜେ ଶବ୍ଦ ଯୋଗୁଁ ଶବ୍ଦ ଦୂଷଣ (ନଇସ୍ ପୋଲ୍ୟୁଶନ) ହେଉଛି । ଏହିସବୁ ଦୁର୍ଘଟଣା ଏଡ଼ାଇବାକୁ ସରକାର ଏବେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ପୂଜା ପର୍ବ ପୂର୍ବରୁ ରାଜ୍ୟ ପରିବହନ ବିଭାଗ ଏହି ସର୍କୁଲାର ଜାରି କରିଛି । ଏଥିରେ ଉଲ୍ଲେଖ ଅଛି ଯେ, ଗାଡ଼ି ରେଜିଷ୍ଟ୍ରେସନ ସମୟରେ ଯେଉଁ ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ରେକର୍ଡ଼ କରାଯାଇଛି, ଡିଜେ ମାଲିକମାନେ ଗାଡ଼ିକୁ ତାହାଠାରୁ ମୋଡିଫାଏ କରିପାରିବେ ନାହିଁ । ଯେଉଁ ସମସ୍ତ ଗାଡ଼ି ମୋଡିଫାଏ କରାଯାଇଛି, ସେଗୁଡ଼ିକର ପଞ୍ଜିକରଣ ସସ୍ପେଣ୍ଡ କରାଯିବା ସହ ଫିଟନେସ୍ ରଦ୍ଦ କରାଯିବ ଏବଂ ମୋଟର ଯାନ ଆଇନ ଅନୁସାରେ ଜରିମାନା କରାଯିବ ।
ରାଜ୍ୟ ସଡକ ପରିବହନ କମିଶନରଙ୍କ ପକ୍ଷରୁ ପୋଲିସ ବିଭାଗ ଏବଂ ସମସ୍ତ ଜିଲ୍ଲାର ପରିବହନ ଅଧିକାରୀଙ୍କୁ ଏ ସମ୍ପର୍କରେ ଚିଠି ଦେଇ ଜଣାଇଦିଆଯାଇଛି । ଏଥିସହିତ, ଅନୁମୋଦିତ ବହୁବର୍ଣ୍ଣ LED, ଲେଜର ଲାଇଟ୍, ନିଅନ ଓ OJ ଆଲୋକ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । OJ ସିଷ୍ଟମ ଉପରେ ସମ୍ପୂର୍ଣ୍ଣ ବାରଣ ରହିଛି ।