ଗଭୀର ଅବପାତର ରୂପ ନେଲା ଲଘୁଚାପ, ୭ ଜିଲ୍ଲାରେ ରେଡ୍ ଆଲର୍ଟ
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ସମୁଦ୍ରରେ ଶକ୍ତି ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି। ଏହି ଅବପାତ ଆଜି ରାତିରୁ କାଲି ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଶଙ୍କା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଓ ପ୍ରଚଣ୍ଡ ପବନ ବହିବାର ସମ୍ଭାବନା ରହିଥିବାରୁ ପୂରା ଓଡ଼ିଶାକୁ ଆଲର୍ଟ ଜାରି କରାଯାଇଛି।
ଏଥିପାଇଁ ରାଜ୍ୟର ୭ଟି ଜିଲ୍ଲା ଯଥା: କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା ଏବଂ କନ୍ଧମାଳ ପ୍ରତି ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ଛଡ଼ା ଆଉ ୧୪ଟି ଜିଲ୍ଲା ପ୍ରତି ଅରେଞ୍ଜ ଓ୍ୱାର୍ଣ୍ଣି ଦିଆଯାଇଛି। ରେଡ୍ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଅନୁମାନ ରହିଛି।
ବୈଠାନିକ ରିପୋର୍ଟ ଅନୁଯାୟୀ, ଏହି ଗଭୀର ଅବପାତଟି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଅଗ୍ରସର ହୋଇ ଶୁକ୍ରବାର ସକାଳେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟଦେଇ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି ଏବଂ ଆଗାମୀ ୨ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର-କଟକ ସହିତ ସମ୍ପୂର୍ଣ୍ଣ ଉପକୂଳବର୍ତ୍ତୀ ଅଞ୍ଚଳରେ ମୂଷଳଧାରାରେ ବର୍ଷା ହେବାର ଆଶଙ୍କା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ୩ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ପ୍ରତିବନ୍ଧକ ଆଦେଶ ଜାରି କରାଯାଇଛି। ପାଣିପାଗ ବିଭାଗ ଏହି ଅବପାତ ଯୋଗୁଁ ହୋଇପାରିବା ପ୍ରଭାବ ପ୍ରତି ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
