FeaturedLatestNewsPolitics

କଂଗ୍ରେସର ‘ଗାନ୍ଧୀ ପଥେ ଓଡ଼ିଶା’ ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର (ସଂକେତ ଟିଭି): ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁ ମୁଗି ପଏଣ୍ଟରୁ ଗୁରୁବାରଠାରୁ କଂଗ୍ରେସ ଦଳର ‘ଗାନ୍ଧୀ ପଥେ ଓଡ଼ିଶା’ ନାମକ ପଦଯାତ୍ରା ଆରମ୍ଭ ହୋଇଛି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ଦଳର ସମସ୍ତ ଆଗଧାଡିର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ମୋଟୁଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏକ ସାଧାରଣ ସଭା ଅନୁଷ୍ଠିତ ହେବାପରେ ପଦଯାତ୍ରୀମାନେ ପ୍ରାୟ ୭୦ କିଲୋମିଟର ପଥ ଅତିକ୍ରମ କରି ପେଟେରୁଠାରେ ରାତ୍ରୀଯାପନ କରିଛନ୍ତି। ପୁନଶ୍ଚ, ଆସନ୍ତା କାଲି ପୋଟେରୁଠାରୁ ପଦଯାତ୍ରା ପୁନରାରମ୍ଭ ହେବାର ଯୋଜନା ରହିଛି।

ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ, ଏହି ୬,୫୦୦ କିଲୋମିଟର ଦୀର୍ଘ ପଦଯାତ୍ରା ମାଧ୍ୟମରେ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶାର ସମସ୍ତ ୩୧୪ ଟି ବ୍ଲକ୍‌ରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ତାଙ୍କ ମତରେ, ନ୍ୟାୟ ଏବଂ ସମାନତାର ଲଢ଼େଇ ଏକ ଲଢ଼ିବା ଯୋଗ୍ୟ ଯୁଦ୍ଧ ଏବଂ ଏହି ଐତିହାସିକ ଯାତ୍ରା ସେଇ ଲକ୍ଷ୍ୟକୁ ନେଇ ଆରମ୍ଭ ହୋଇଛି।