ଏସଆଇ ନିଯୁକ୍ତି ଦୁର୍ନୀତି: ଛୋଟ ମାଛ ପରେ ବଡ ମାଛ ଧରାପଡିବେ : ବାବୁ ସିଂ
ଭୁବନେଶ୍ୱର (ସଂକେତ ଟିଭି): ଏସଆଇ ନିଯୁକ୍ତି ଦୁର୍ନୀତି ପ୍ରକରଣକୁ ନେଇ ବିଜେପି ବିଧାୟକ ବାବୁ ସିଂ ଆଜି ଗୁରୁତ୍ଵପୂର୍ଣ୍ଣ ମତବ୍ୟକ୍ତ କରିଛନ୍ତି । କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି ବ୍ରହ୍ମପୁର ଯେଉଁ ଘରେ ଅଫିସ୍ ଚଳାଉଥିଲେ, ସେ ଘରଟି କାହାର ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବାବୁ ସିଂ କହିଛନ୍ତି, “ସେଇଟା ବିଜେଡ଼ି ନେତାଙ୍କ ଘର ନୁହଁ ତ? ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଜମା ଛଡାଯିବ ନାହିଁ ।”
ବିଜେପି ସରକାର କାଳରେ ଦୁର୍ନୀତି ଧରାପଡୁଥିବା ଉଲ୍ଲେଖ କରି ସେ କହିଛନ୍ତି, “ପୂର୍ବରୁ ବି ଦୁର୍ନୀତି ହେଉଥିଲା, କିନ୍ତୁ ଧରାପଡୁଥିଲା କେତେବେଳେ? ବିଜେପି ସରକାରରେ ଧରାପଡୁଛନ୍ତି । ୨୦୧୯ ଓ ୨୦୨୨ର ଚାକିରି ଦୁର୍ନୀତି କଥା ଦେଖନ୍ତୁ, ଆଜି ଯେଉଁମାନେ ଚାକିରି କରିଛନ୍ତି, ସେମାନେ କିଭଳି ଚାକିରି ପାଇଛନ୍ତି ତାହା ଚିନ୍ତା କରିବାର କଥା । ୧୧୮ ଜଣ ଧରାପଡିଛନ୍ତି, କେବଳ ଛୋଟ ମାଛ ନୁହେଁ, ବଡ଼ ମାଛଙ୍କ ଧରାପଡିବାର ସମୟ ଆସୁଛି ।” ଗୋଟିଏ ପଞ୍ଚାୟତରୁ ୨୫ ଜଣ ପିଲା ଚାକିରି ପାଇଥିବା ଉଦାହରଣ ଦେଇ ସେ ଦାବି କରିଛନ୍ତି ଯେ ଅତୀତର ସରକାରରେ ଦୁର୍ନୀତି ବଢିଥିଲା ।
ବିଜେଡ଼ି ଦଳ ଉପରେ ଗୁରୁତ୍ଵପୂର୍ଣ୍ଣ ଆରୋପ ଲଗାଇ ବାବୁ ସିଂ କହିଛନ୍ତି, “ଘରୋଇ କୋଚିଂ ସେଣ୍ଟରର ମାଲିକ ସୁବ୍ରତ ଛାଟୋଇ କେଉଁ ଦଳର? ସେ ବିଜେଡ଼ିର । ବିଜେଡ଼ି ନେତା ତାଙ୍କୁ ଛତା ଧରି ସୁରକ୍ଷା ଦେଉଥିଲେ । ୫୦ରୁ ୬୦ ପ୍ରତିଶତ ଗୋଟିଏ ସଂସ୍ଥାରୁ ପିଲା ଚାକିରି ପାଉଥିଲେ । କେବଳ ଏସ୍ଆଇ ନୁହଁ, ବିଗତ ସରକାର ସମୟରେ ଅନେକ ନିଯୁକ୍ତିରେ ସେଇ ସଂସ୍ଥାରୁ ପିଲା ଦୁର୍ନୀତି ମାଧ୍ୟମରେ ଚାକିରି ପାଇଛନ୍ତି । ବିଗତ ସରକାର ଏ ଚାକିରି ଦୁର୍ନୀତିର ବାଟ ଦେଖାଇଥିଲା, ଆମ ସରକାର ସେ ବାଟ ବନ୍ଦ କରୁଛି ।”
ବିଜେଡ଼ିର ଆନ୍ଦୋଳନକୁ ମୁହଁ ଘୋଡାଇବାର ଚେଷ୍ଟା ବୋଲି ଆଖ୍ୟା ଦେଇ ସେ କହିଛନ୍ତି, “ମୁହଁ ଘୋଡାଇବାକୁ ବିଜେଡ଼ି ଆନ୍ଦୋଳନ କରିବ । ଫଟୋ କାହା ସହିତ ଯଦି ରହିଛି ତାକୁ ନେଇ ବିଜେଡ଼ି ରାଜନୀତି କରୁଥାଏ, ତେବେ ତାଙ୍କ ଦଳର ଅଧେ ନେତା ବନ୍ଧା ହେବେ । ବହୁ ଅପରାଧିଙ୍କ ସହିତ ବିଜେଡ଼ି ନେତାଙ୍କ ଫଟୋ ଅଛି ।” ଏହି ମତବ୍ୟକ୍ତି ମାଧ୍ୟମରେ ବିଜେପି ବିଧାୟକ ଏସଆଇ ନିଯୁକ୍ତି ଘୋଟାଳି ବିବାଦକୁ ନେଇ ରାଜନୈତିକ ଆକ୍ରୋଶ ସ୍ପଷ୍ଟ କରିଛନ୍ତି ।
