ଆଇନଜୀବି ପୀତବାସ ପଣ୍ଡାଙ୍କ ହତ୍ୟା : ୧୫ ଘଣ୍ଟା ପରେ ବି ଧରାପଡିନାହାଁନ୍ତି ଅପରାଧି : ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ବରିଷ୍ଠ ଆଇନଜୀବୀ ଏବଂ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପଏଣ୍ଟ ବ୍ଲାକ ରେଞ୍ଜ ଅଞ୍ଚଳରେ ଅଜ୍ଞାତ ଅପରାଧୀମାନେ ଏହି ଘଟଣା ସମ୍ପାଦନ କରିଛନ୍ତି। ଘଟଣା ପରଠାରୁ ୧୫ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୌଣସି ଅପରାଧୀକୁ ଧରା ପଡ଼ିନାହିଁ।
ଏହି ଘଟଣାକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଆକ୍ରୋଶ ପ୍ରକାଶ କରି କହିଛନ୍ତି ଯେ ଜିଲ୍ଲାରେ ଦୁଇ ଜଣ ମନ୍ତ୍ରୀ ଥାଇ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ କୁମାର ପୂର୍ଣ୍ଣିମା ଗଣପର୍ବ ଥିବା ସତ୍ତ୍ୱେ ପାଟ୍ରୋଲିଂରେ କଡ଼ାକଡ଼ି ନଥିଲା ଏବଂ ଘଟଣାସ୍ଥଳର ସିସିଟିଭି ଖୋଲା ଥିଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ବିଜେପି ସରକାର କ୍ଷମତାରେ ଆସିବା ପରଠାରୁ ଗଞ୍ଜାମରେ ୧୨୬ଟି ହତ୍ୟା ଘଟିଥିବା ଦାବି କରିଛନ୍ତି।
ଅନ୍ୟ ପକ୍ଷରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି। ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡ଼ିଶାରେ ଏଭଳି ଘଟଣାକୁ କୌଣସି ଭାବରେ ବରଦାସ୍ତ କରାଯିବ ନାହିଁ ବୋଲି ସେ ଦୃଢ଼ କହିଛନ୍ତି। ମୁଖ୍ୟମନ୍ତ୍ରୀ ପୋଲିସ୍କୁ ଅପରାଧୀଙ୍କୁ ଶୀଘ୍ର ଧରାପକାଇ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଏବଂ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସଂଗଠନ ସମ୍ପାଦକ ମାନସ ମହାନ୍ତି ଏବଂ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ପହଞ୍ଚି ପୀତବାସ ପଣ୍ଡାଙ୍କୁ ଶେଷ ଦର୍ଶନ କରିଛନ୍ତି ଏବଂ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି। ବିଜେପି ନେତୃବୃନ୍ଦ କହିଛନ୍ତି ଯେ ପଣ୍ଡାଙ୍କ ମୃତ୍ୟୁ ଜିଲ୍ଲା ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ଏବଂ ଦୋଷୀଙ୍କୁ ଉଚିତ ଶାସ୍ତି ଦିଆଯିବ। ସେମାନେ ଜୋର ଦେଇ କହିଛନ୍ତି ଯେ ବିଜେପି ସରକାରରେ ଗୁଣ୍ଡାରାଜକୁ କୌଣସି ପ୍ରଶ୍ରୟ ଦିଆଯିବ ନାହିଁ।
ସୋମବାର ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଦୁଇ ଦୁର୍ବୃତ୍ତ ତାଙ୍କ ଘର ବାହାରେ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୀତବାସ ପଣ୍ଡା ରାଜ୍ୟ ଆଇନଜୀବୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
