ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
ନୂଆଦିଲ୍ଲୀ (ସଂକେତ ଟିଭି): ରସାୟନ ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକାର ତିନି ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବରେ ଏବେକାର ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ ଘୋଷଣା କରିଛି। ସୁସୁମୁ କିଟାଗାୱା (କ୍ୟୋଟୋ ବିଶ୍ୱବିଦ୍ୟାଳୟ, ଜାପାନ), ରିଚାର୍ଡ ରବସନ (ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟ, ଅଷ୍ଟ୍ରେଲିଆ) ଏବଂ ଓମାର ଏମ୍. ୟାଘି (କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ଆମେରିକା) ମିଶି ‘ମେଟାଲ ଅର୍ଗାନିକ୍ ଫ୍ରେମ୍ୱାର୍କ (ଏମଓଏଫ)’ ଉପରେ କାମ କରିଥିଲେ।
ଏହି ତିନିଜଣ ବୈଜ୍ଞାନିକ ବିଭିନ୍ନ ଅଣୁଗୁଡ଼ିକୁ ଏକ ସୁନିର୍ଦ୍ଦିଷ୍ଟ ଉପାୟରେ ଯୋଗକରି ଏକ ନୂତନ ସଂରଚନା ସୃଷ୍ଟି କରିବାର ପଦ୍ଧତି ବିକଶିତ କରିଥିଲେ, ଯାହାର ଭିତରେ ବଡ଼ ଛିଦ୍ର ବା ସ୍ଥାନ ରହୁଥାଏ। ଏହି ଛିଦ୍ରଗୁଡ଼ିକ ଗ୍ୟାସ କିମ୍ବା ଅନ୍ୟାନ୍ୟ ରାସାୟନିକ ପଦାର୍ଥଗୁଡ଼ିକୁ ସହଜରେ ଭିତରକୁ ଯିବାକୁ ଅନୁମତି ଦେଇଥାଏ। ପରବର୍ତ୍ତୀ ସମୟରେ ଏହି ଅଦ୍ଭୁତ ସଂରଚନାକୁ ‘ମେଟାଲ ଅର୍ଗାନିକ୍ ଫ୍ରେମ୍ୱାର୍କ’ ନାମରେ ନାମିତ କରାଯାଇଥିଲା।
ଏହି ଆବିଷ୍କାରର ପ୍ରୟୋଗ ମରୁଭୂମିର ବାୟୁରୁ ପାଣି ଉତ୍ପାଦନ, ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଧରିବା ଏବଂ ବିଷାକ୍ତ ଗ୍ୟାସ ସଂରକ୍ଷଣ ଭଳି କ୍ଷେତ୍ରରେ ହୋଇପାରିବ। ଏହାର ଅର୍ଥ ହେଉଛି, ଭବିଷ୍ୟତରେ ଜଳ ଅଭାବ, ଜଳବାୟୁ ପରିବର୍ତ୍ତନ ଏବଂ ଶିଳ୍ପ ପ୍ରଦୂଷଣ ଭଳି ସମସ୍ୟା ସମାଧାନରେ ଏହି ପ୍ରଯୁକ୍ତି ଏକ ବିପ୍ଳବୀ ଭୂମିକା ଗ୍ରହଣ କରିପାରେ। ବୈଜ୍ଞାନିକମାନେ ଏହି ପୁରସ୍କାର ରାଶି ଭାବରେ ୧୧ ନିୟୁତ ସ୍ୱିଡିସ୍ କ୍ରାଉନ୍ (ପ୍ରାୟ ୮.୭ ଲକ୍ଷ ପାଉଣ୍ଡ) ପାଇବେ।
ଗତ ବର୍ଷ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ବୈଜ୍ଞାନିକମାନେ ହେଲେ ଡେଭିଡ୍ ବେକର, ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍ ଜମ୍ପର। ୧୯୦୧ ମସିହାରୁ ଆରମ୍ଭ କରି ୨୦୨୪ ସୁଦ୍ଧା, ମୋଟ ୧୯୫ ଜଣ ବ୍ୟକ୍ତିଙ୍କୁ ରସାୟନ ବିଜ୍ଞାନରେ ୧୧୬ଟି ନୋବେଲ ପୁରସ୍କାର ପ୍ରଦାନ କରାଯାଇସାରିଛି।
ଉଲ୍ଲେଖ୍ୟ, ଏହାର ଅଳ୍ପକାଳ ପୂର୍ବେ ସୋମବାର ଦିନ ମେଡିସିନ୍ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷିତ ହୋଇଥିଲା। ଆମେରିକାର ମ୍ୟାରୀ ଇ. ବ୍ରୁଙ୍କୋ, ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚିଙ୍କୁ ‘ପେରିଫେରାଲ୍ ଇମ୍ୟୁନ୍ ଟଲେରାନ୍ସ’ ସମ୍ବନ୍ଧୀୟ ଆବିଷ୍କାର ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।
