ଭାରତରେ ନଅଟି ବ୍ରିଟିଶ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବ ବ୍ରିଟେନ୍
ମୁମ୍ବାଇ (ସଂକେତ ଟିଭି): ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ଉଭୟ ଦେଶ ମଧ୍ୟରେ ବଢ଼ୁଥିବା ରଣନୈତିକ ଏବଂ ଆର୍ଥିକ ସହଯୋଗକୁ ଶକ୍ତି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଷ୍ଟାର୍ମର ବୁଧବାର ସକାଳେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ମୁମ୍ବାଇରେ ପହଞ୍ଚିଥିଲେ। ଏହି ଗସ୍ତରେ ଷ୍ଟାର୍ମରଙ୍କ ସହିତ ୧୨୫ ଜଣିଆ ଏକ ଶକ୍ତିଶାଳୀ ପ୍ରତିନିଧିମଣ୍ଡଳୀ ମଧ୍ୟ ଉପସ୍ଥିତ ଥିଲେ।
ଏକ ମିଳିତ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନେତୃତ୍ୱରେ ଭାରତ-ୟୁକେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଗତ ଜୁଲାଇ ମାସରେ ମୋଦିଙ୍କ ବ୍ରିଟେନ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଐତିହାସିକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା (CETA) ସ୍ୱାକ୍ଷରିତ ହୋଇଥିଲା। ମୋଦି କହିଛନ୍ତି ଯେ ଏହି ଚୁକ୍ତିନାମା ଆମଦାନୀ ଖର୍ଚ୍ଚ କମାଇବ, ନୂଆ ଚାକରି ସୃଷ୍ଟି କରିବ, ବାଣିଜ୍ୟ ବୃଦ୍ଧି କରିବ ଏବଂ ଶିଳ୍ପ ଓ ଗ୍ରାହକଙ୍କୁ ଲାଭାନ୍ୱିତ କରିବ।
ଶିକ୍ଷା କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ନଅଟି ବ୍ରିଟିଶ ବିଶ୍ୱବିଦ୍ୟାଳୟ ଭାରତରେ କ୍ୟାମ୍ପସ ଖୋଲିବାକୁ ଯାଉଛନ୍ତି, ଯାହାଙ୍କ ମଧ୍ୟରୁ ସାଉଥାମ୍ପଟନ୍ ବିଶ୍ୱବିଦ୍ୟାଳୟର ଗୁରୁଗ୍ରାମ କ୍ୟାମ୍ପସ୍ ଇତିମଧ୍ୟରେ ଉଦଘାଟିତ ହୋଇସରିଛି। ବିଶ୍ୱ ଅସ୍ଥିରତା ସମୟରେ ଭାରତ ଓ ବ୍ରିଟେନ ମଧ୍ୟରେ ବଢ଼ୁଥିବା ସହଭାଗୀତାକୁ ବିଶ୍ୱ ସ୍ଥିରତା ଓ ଆର୍ଥିକ ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ମୋଦି କହିଛନ୍ତି।
ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରିଟେନରେ ଆତିଥ୍ୟ ଦେଇଥିବା ଏକ ସମ୍ମାନର ବିଷୟ ଥିଲା ଏବଂ କିଛି ମାସ ମଧ୍ୟରେ ପୁନର୍ବାର ଭାରତ ଆସିବା ନେଇ ସେ ଖୁସି। ତାଙ୍କ ମତରେ ଉଭୟ ଦେଶ ଭବିଷ୍ୟତମୁଖୀ ଏକ ନୂତନ ଓ ଆଧୁନିକ ସହଭାଗୀତା ଗଠନ କରୁଛନ୍ତି ଏବଂ ସୁଯୋଗଗୁଡ଼ିକୁ ହାସଲ କରୁଛନ୍ତି।
ବୁଧବାରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଧ୍ୟ ତାଜ ହୋଟେଲରେ ବ୍ରିଟିଶ ପ୍ରତିନିଧି ଦଳକୁ ସାକ୍ଷାତ କରିଥିଲେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ଷ୍ଟାରମରଙ୍କ ପ୍ରଥମ ଭାରତ ଗସ୍ତ। ଉଭୟ ନେତା ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଅନୁଷ୍ଠିତ ଏକ ସିଇଓ ଫୋରମରେ ଅଂଶଗ୍ରହଣ କରିଛନ୍ତି ଏବଂ ଆଗାମୀ ଦଶ ବର୍ଷ ପାଇଁ ଆଉଟଲାଇନ୍ କରାଯାଇଥିବା ‘ଭିଜନ 2035’ ଅଧୀନରେ ବାଣିଜ୍ୟ, ପ୍ରତିରକ୍ଷା, ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିଛନ୍ତି।
