FeaturedLatestNews

ଦୁର୍ଗାପୁର ମେଡିକାଲ୍ କଲେଜରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ବାଲେଶ୍ବର (ସଂକେତ ଟିଭି): ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ୍ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବାର ଅଭିଯୋଗ ଆସିଛି। ଆରଜି କର୍ ମେଡିକାଲ୍ କଲେଜ ଘଟଣା ପରଠାରୁ ମାତ୍ର କିଛି ମାସ ମଧ୍ୟରେ ଏହି ଘଟଣା ଘଟିଥିବା ଆଶଙ୍କା ଜନ୍ମ କରିଛି। ଜଳେଶ୍ୱର ଅଞ୍ଚଳର ଏହି ଛାତ୍ରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଆଇସିଯୁରେ ଚିକିତ୍ସିତ ହେଉଛନ୍ତି।

ଘଟଣାଟି ଶୁକ୍ରବାର ରାତି ସାଢ଼େ ଆଠଟା ସମୟରେ ଘଟିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ପୀଡ଼ିତା ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସ୍ ବାହାରେ ଥିବା ଏକ କ୍ୟାଣ୍ଟିନରେ ଖାଇବାକୁ ଯାଇଥିଲେ। ଖାଇ ସାରି ଫେରିବା ପଥରେ, ୪ରୁ ୫ ଜଣ ଅଜ୍ଞାତ ଯୁବକ ସେମାନଙ୍କୁ ଆକ୍ରମଣ କରି ଛାତ୍ରୀଙ୍କୁ ଟାଣିନେଇ କଲେଜ ଏବଂ ହସ୍ପିଟାଲ ପଛପଟେ ଥିବା ଏକ ନିର୍ଜନ ସ୍ଥାନରେ ସାମୂହିକ ଧର୍ଷଣ କରିଥିଲେ। ଏହି ଘଟଣାରେ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇ ତିନି ହଜାର ଟଙ୍କା ମାଗିଥିବା ଅଭିଯୋଗ ରହିଛି।

ଘଟଣା ପରେ ଦୁର୍ଗାପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକକରି ପଚରାପଚରି କରାଯାଉଛି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ ତରଫରୁ କୁହାଯାଉଛି। ଜାତୀୟ ମହିଳା ଆୟୋଗର ଏକ ଦଳ ମଧ୍ୟ ଘଟଣା ସ୍ଥଳକୁ ଯାଉଥିବାର ସୂଚନା ମିଳିଛି। ପୀଡ଼ିତାଙ୍କ ପିତାମାତା ହସ୍ପିଟାଲରେ ଉପସ୍ଥିତ ହୋଇଛନ୍ତି।

ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୀଡ଼ିତାଙ୍କ ପିତା ସିଧାସଳଖ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି କହିଛନ୍ତି, “ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି। ଏଠି କେହି ଆମ ସହ କଥା ହେଉନାହାନ୍ତି କି କୌଣସି ସହଯୋଗ କରୁନାହାନ୍ତି।” ତାଙ୍କ ମତାନୁସାରେ ମେଡିକାଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଅନୁପସ୍ଥିତ। ଅନ୍ୟ ଏକ ପକ୍ଷରେ, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନେ ଧାରଣା ଓ ବିରୋଧ ପ୍ରଦର୍ଶନ କରିଛନ୍ତି।