CulturalFeaturedLatestNews

ଦୀପାବଳିରେ ବାଣ ଫୁଟେଇବା ସମୟ ନିର୍ଦ୍ଧାରିତ, ୭ରୁ ୯ଟା ଭିତରେ ସୀମିତ

ଭୁବନେଶ୍ୱର (ସଂକେତ ଟିଭି): ଚଳିତ ବର୍ଷ ଦୀପାବଳି ଅବସରରେ ବାଣ ଫୁଟା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ପିସିବି) କଡ଼ା ମାର୍ଗଦର୍ଶିକା ଜାରି କରିଛି। ଏହି ମାର୍ଗଦର୍ଶିକା ଅନୁଯାୟୀ, ବାଣ ଫୁଟା କେବଳ ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ହିଁ ଅନୁମୋଦିତ ରହିବ। ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି।

ପିସିବିର ପରିବେଶ ବିଜ୍ଞାନୀ ନିହାର ରଞ୍ଜନ ସାହୁଙ୍କ ମତାନୁଯାୟୀ, ଫୁଟାଯାଉଥିବା କୌଣସି ବାଣର ଶବ୍ଦ ସ୍ତର ୧୨୫ ଡେସିବେଲ୍ ରୁ ଅଧିକ ହୋଇପାରିବ ନାହିଁ। ସହରର ସଂବେଦନଶୀଳ ଅଞ୍ଚଳଗୁଡ଼ିକରେ ବାଣ ଫୁଟାଣି ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ବସାଯାଇଛି। ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଏବଂ ଧାର୍ମିକ ସ୍ଥାନମାନଙ୍କର ୧୦୦ ମିଟର ପରିସୀମା ଭିତରେ ବାଣ ଫୁଟାଇବା ନିଷିଦ୍ଧ ହେବ।

ଏଥିସହ ଦୋକାନ, ଅଗ୍ନିପ୍ରବଣ ସ୍ଥାନ, ବ୍ୟସ୍ତ ରାସ୍ତା ଏବଂ ଯାତାୟାତ ସ୍ଥଳୀମାନଙ୍କରେ ମଧ୍ୟ ବାଣ ଫୁଟାଣି ଉପରେ ପ୍ରତିବନ୍ଧକ ରହିବ। ଶିଶୁମାନଙ୍କ ନିରାପତ୍ତା ଦୃଷ୍ଟିରୁ ୧୦ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦିଆଯିବ ନାହିଁ। ଏସବୁ ନିୟମ ପାଳନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ବାଣ ଦୋକାନଗୁଡ଼ିକରେ ଯୌଥ ତଦାରଖ ମଧ୍ୟ କରିବେ।