FeaturedLatestNews

ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର: ଚାଉଳ ଯୋଗାଣ ୫ କିଲୋ ବୃଦ୍ଧି ପାଇଁ ଯୋଜନା

ଭୁବନେଶ୍ବର (ସଂକେତ ଟିଭି): ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନ ରାସନ କାର୍ଡ ଧାରକଙ୍କୁ ମିଳୁଥିବା ଚାଉଳର ପରିମାଣ ବୃଦ୍ଧି କରାଯିବା ସମ୍ଭାବନା ରହିଛି । ବର୍ତ୍ତମାନ ପ୍ରଦାନ କରାଯାଉଥିବା ପ୍ରତି ଯୁନିଟ୍ ୫ କିଲୋଗ୍ରାମ୍ ସହିତ ଅତିରିକ୍ତ ଆଉ ୫ କିଲୋଗ୍ରାମ୍ ଚାଉଳ ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନହୋଇଥିବାରୁ ଏବେ ଚର୍ଚ୍ଚା ଚାଲିଛି ଏବଂ ଶେଷ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ନେବେ ବୋଲି ଜଣାଯାଇଛି ।

ରାଜ୍ୟର ପ୍ରାୟ ୩ କୋଟି ୨୫ ଲକ୍ଷ ରାସନ କାର୍ଡ ଧାରକ ଏହାର ଲାଭ ପାଇବାର ଆଶା ରଖିଛନ୍ତି । ଖାଦ୍ୟ ଯୋଗାଣ ବିଭାଗର ମତରେ, ବର୍ତ୍ତମାନର ୫ କିଲୋ ଚାଉଳ ଅନେକ ଗରିବ ପରିବାରଙ୍କ ପାଇଁ ପର୍ଯ୍ୟାପ୍ତ ହୋଇପାରୁନାହିଁ, ଯାହାକୁ ଲକ୍ଷ୍ୟ କରି ଏହି ଚିନ୍ତା କରାଯାଇଛି । ଏହି ପ୍ରସ୍ତାବ ଫାଇଲ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ ଏବଂ ତାଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜଣାଇଛନ୍ତି ଯେ, ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଏହି ଅତିରିକ୍ତ ଚାଉଳ ଯୋଗାଣ କରିବାକୁ ଚିନ୍ତା କରୁଛନ୍ତି । ଏହି ସୁବିଧା ମିଳିଲେ ଗରିବ ପରିବାରଗୁଡ଼ିକର ଖାଦ୍ୟ ସୁରକ୍ଷା ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି ।