ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି) ସଭାପତି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ତାଙ୍କର ଜନ୍ମଦିନ ଅବସରରେ ଘୋଷଣା କରିଛନ୍ତି ଯେ ସେ ଜୀବନର ଶେଷ ପର୍ଯ୍ୟନ୍ତ ଓଡ଼ିଶା ମା’ର ସେବା କରିବେ। ଏହି ପ୍ରତିଶ୍ରୁତି ସେ ଆଜି ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଙ୍ଗାନଗର ବିଜୁ ଆଦର୍ଶ କଲୋନୀରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ଦଳୀୟ ନେତା ଓ କର୍ମୀମାନଙ୍କ ସମକ୍ଷରେ ଦେଇଛନ୍ତି।
ଏହି ପଦଯାତ୍ରାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କିଛି ଦୂର ପଦଯାତ୍ରା କରିଥିଲେ ଏବଂ ପରବର୍ତ୍ତୀ ସଭାରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ପ୍ରଦାନ କରିବା ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସେ କହିଥିଲେ, “ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସହିତ ସବୁବେଳେ ରହିଛି ଓ ରହିବ। ସେବା ହେଉଛି ବିଜୁ ଜନତା ଦଳର ମନ୍ତ୍ର।” ଲୋକଙ୍କ ସେବା କାର୍ଯ୍ୟକୁ ନିରବଚ୍ଛିନ୍ନ ଭାବରେ ଜାରି ରଖିବା ପାଇଁ ସେ ଦଳର କର୍ମୀମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।
ବିଜୁ ଜନତା ଦଳର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ସୁଲତା ଦେଓ, ବିଧାୟକ ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ମନ୍ମଥ ରାଉତରାୟ ଏବଂ ଦଳର ଅନ୍ୟ କର୍ପୋରେଟରମାନେ ଯୋଗ ଦେଇଥିଲେ।
ଉଲ୍ଲେଖ୍ୟ, ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଦିନ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୁଏ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଏହି ପଦଯାତ୍ରା ଆରମ୍ଭ ହୋଇଥାଏ। ସାଧାରଣତଃ ଏହି ପଦଯାତ୍ରାକୁ ନବୀନ ପଟ୍ଟନାୟକ ନିଜେ ଉଦ୍ଘାଟନ କରିଥାନ୍ତି। କିନ୍ତୁ ଏବର୍ଷ ଆରମ୍ଭ ଦିନ ସେ ଯୋଗ ଦେଇ ନଥିଲେ। ତେଣୁ ନିଜର ଜନ୍ମଦିନରେ ସେ ଏହି ପଦଯାତ୍ରାରେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଛନ୍ତି।
