CulturalFeaturedLatestNews

ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ଶ୍ରୀଜଗନ୍ନାଥଙ୍କ କୋଠ ଭୋଗ

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ରଥଯାତ୍ରାରୁ ଶ୍ରୀଜଗନ୍ନାଥଙ୍କ କୋଠ ଭୋଗ ଜୈବିକ ଚାଉଳରେ ପ୍ରସ୍ତୁତ ହେବାକୁ ଯାଉଛି । ଏ ସମ୍ବନ୍ଧରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଅମୃତ ଅନ୍ନ ଯୋଜନା ଅଧୀନରେ ରଥଯାତ୍ରା ସମୟରେ ଏହି ଜୈବିକ ଚାଉଳ ବ୍ୟବହୃତ ହେବ । ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଏହି ଜୈବିକ ଚାଷ କରାଯାଇଛି ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ଯୋଗୁଁ ଚାଷୀଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଛି ।

କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଜୈବିକ ଚାଉଳ ଉତ୍ପାଦନ କରାଯାଇଛି । ଯଦି ଏହି ଚାଉଳରୁ କିଛି ଅତିରିକ୍ତ ରହେ, ତାହାକୁ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ । ଏଥିସହ ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ବିକ୍ରି ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ଖୋଲାଯିବ । ଭବିଷ୍ୟତରେ ଜୈବିକ ପନିପରିବା ମଧ୍ୟ ଭୋଗରେ ବ୍ୟବହାର କରାଯିବାର ପରିକଳ୍ପନା ରହିଛି । ଗତ ରଥଯାତ୍ରା ସମୟରେ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଭୋଗରେ ଏହା ବ୍ୟବହୃତ ହୋଇଥିଲା ।

ରାସାୟନିକ ସାର ବ୍ୟବହାର ନକରି ଉତ୍ପାଦିତ ଜୈବିକ ଚାଉଳ ପ୍ରସ୍ତୁତି ପାଇଁ କୃଷି ବିଭାଗ ବିଭିନ୍ନ ଜିଲ୍ଲାର ଚାଷୀଙ୍କ ସହିତ ଚୁକ୍ତିବଦ୍ଧ ହୋଇଛି । ଚାଉଳ ପ୍ରସ୍ତୁତି ପରେ ଚାଷୀଙ୍କ ଠାରୁ ସିଧାସଳଖ ରାଜ୍ୟ କୃଷି ବିଭାଗ ଏହି ଚାଉଳ ସଂଗ୍ରହ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବ । ଶ୍ରୀମନ୍ଦିରରେ ଦୈନିକ ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ପ୍ରାୟ ଦୁଇ କ୍ଵିଣ୍ଟାଲ ଚାଉଳ ଲାଗିଥାଏ, ଅନ୍ୟାନ୍ୟ ଭୋଗ ମିଶି ପ୍ରତିଦିନ ମୋଟ ୨୦୦ କ୍ଵିଣ୍ଟାଲ ଚାଉଳ ଆବଶ୍ୟକ ହୁଏ । ତେବେ ବର୍ତ୍ତମାନ ସୀମିତ ପରିମାଣରେ ଜୈବିକ ଚାଉଳ ଉତ୍ପାଦନ ହେଉଥିବାରୁ, ପ୍ରଥମେ କେବଳ ମହାପ୍ରଭୁଙ୍କ କୋଠ ଭୋଗରେ ଏହାର ବ୍ୟବହାର ଆରମ୍ଭ ହେବ । ଶ୍ରୀମନ୍ଦିରର ସୁଆର, ମହାସୁଆର ନିଯୋଗ ଓ ସେବାୟତମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି ।

ଜୈବିକ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ବହୁତ ପୂର୍ବରୁ ପ୍ରୟାସ ଆରମ୍ଭ କରିଥିଲା । ଏହି କ୍ରମରେ କିଛି ଜୈବିକ ଚାଉଳ ବ୍ୟବହାର କରି କୋଠ ଭୋଗ ପ୍ରସ୍ତୁତ କରାଯାଇ ମାନ ପରୀକ୍ଷା କରାଯାଇଥିଲା । ତା’ପରେ ନୂଆ ଜୈବିକ ଚାଉଳ ବ୍ୟବହାର କରିବା ସମୟରେ କୋଠ ଭୋଗ ପ୍ରସ୍ତୁତିରେ କିଛି ସମସ୍ୟା ଦେଖାଦେଇଥିଲା । ସେଥିପାଇଁ ବର୍ତ୍ତମାନ ପୁରୁଣା ଜୈବିକ ଚାଉଳ ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ନିଷ୍ପତ୍ତି ନେଇଛନ୍ତି ।