ମୋନ୍ଥାର ବାତ୍ୟା ଆଶଙ୍କା: ୪ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର (ସଂକେତ ଟିଭି): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥାର’ ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଏହି ସମ୍ବନ୍ଧରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାବାସୀଙ୍କୁ ଆବଶ୍ୟକୀୟ ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟାଟି ଆନ୍ଧ୍ର ପ୍ରଦେଶର ମଛିଲିପାଟଣା ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଗଜପତି ଜିଲ୍ଲାରେ ପଡ଼ିବ ବୋଲି ଅନୁମାନ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରେ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗ ଦ୍ୱାରା ୨୭ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଏବଂ ୨୮ ତାରିଖ ପାଇଁ ରେଡ୍ ଆଲର୍ଟ ଜାରି ରଖାଯାଇଛି।
ଏହି ବାତ୍ୟା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଦ୍ରୁତ ଗତିରେ ପବନ ବହିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି, ୨୭ ଅକ୍ଟୋବରରୁ ଆରମ୍ଭ କରି ୩୦ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍, ସମ୍ଭାବ୍ୟ ବାତ୍ୟାର ପ୍ରଭାବରୁ ରକ୍ଷା ପାଇବା ପାଇଁ ଗଜପତି ଜିଲ୍ଲାରେ ଆଗାମୀ ଚାରି ଦିନ ପାଇଁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିବ।
