ଶକ୍ତି ସଂଚୟ କରୁଛି ବାତ୍ୟା ମୋଚ୍ଛା, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ଗଭୀର ଅବପାତ ଭାବେ ଆରମ୍ଭ ହୋଇଥିବା ବାତ୍ୟା ‘ମୋନ୍ଥା’ ଏବେ ଦ୍ରୁତ ଗତିରେ ଶକ୍ତି ସଂଚୟ କରୁଛି । ଆଇଏମ୍ଡି ର ପୂର୍ବାନୁମାନ ଅନୁଯାୟୀ, ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ସାଧାରଣ ବାତ୍ୟାରେ ପରିଣତ ହୋଇ ୨୮ ଅକ୍ଟୋବର ସକାଳ ସୁଦ୍ଧା ଏକ ଭୟଙ୍କର ବାତ୍ୟା ରୂପ ନେବ । ଏହା ପରେ ଉତ୍ତର-ଉତ୍ତରପଶ୍ଚିମ ଦିଶକୁ ଗତି କରି ୨୮ ଅକ୍ଟୋବର ସନ୍ଧ୍ୟା କିମ୍ବା ରାତିରେ କାକିନାଡ଼ା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ଅଧିକ ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ଏହାର ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି ।
ବାତ୍ୟାର ବିକାଶ କ୍ରମାଗତ ଭାବେ ଘଟିବ ବୋଲି ଆକଳନ କରାଯାଇଛି । ଆଜି ସନ୍ଧ୍ୟା ୫.୩୦ ବେଳକୁ ଏହା ଏକ ବାତ୍ୟାରେ ପରିଣତ ହୋଇ ଘଣ୍ଟାପ୍ରତି ୬୦-୭୦ କିମି ବେଗରେ ପବନ ପ୍ରବାହିତ ହେବ । ୨୬ ତାରିଖ ରାତି ୧୧.୩୦ ବେଳକୁ ଏହାର ବେଗ ବଢ଼ି ଘଣ୍ଟାପ୍ରତି ୮୫ କିମି ହେବ । ୨୭ ତାରିଖ ସକାଳ ୫.୩୦ ବେଳକୁ ଏହା ଆହୁରି ଶକ୍ତିଶାଳୀ ହୋଇ ଘଣ୍ଟାପ୍ରତି ୯୦ କିମି ବେଗ ହାସଲ କରିବ ଏବଂ ସନ୍ଧ୍ୟା ୫.୩୦ ବେଳକୁ ଏହି ବେଗ ଘଣ୍ଟାପ୍ରତି ୧୦୦ କିମି ଯାଏଁ ପହଞ୍ଚିବ । ୨୮ ତାରିଖ ସକାଳ ବେଳକୁ ଏହା ଏକ ଭୀଷଣ ବାତ୍ୟାରେ ପରିଣତ ହୋଇ ସନ୍ଧ୍ୟା ବେଳକୁ ଉପକୂଳ ସ୍ପର୍ଶ କରିବ, ଯେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୧୦ କିମି ରହିବାର ସମ୍ଭାବନା ଅଛି । ୨୯ ତାରିଖ ସକାଳ ବେଳକୁ ଏହାର ତୀବ୍ରତା କମିଯାଇ ଏକ ଅବପାତରେ ପରିଣତ ହେବ ।
ଯଦିଓ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳକୁ ଲକ୍ଷ୍ୟ କରିଛି, ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ରହିବ । ରାଜ୍ୟରେ ୨୭, ୨୮ ଏବଂ ୨୯ ତାରିଖରେ ପ୍ରବଳରୁ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନର ପ୍ରଭାବ ସର୍ବାଧିକ ରହିବ । ବାତ୍ୟା ସମୟରେ ରାଜ୍ୟରେ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିମି ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦ କିମି ରହିବାର ଆଶଙ୍କା ରହିଛି ।
ଏହି ପରିସ୍ଥିତିରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି । ତେଣୁ ଆଜିରୁ ୩୦ ତାରିଖ ଯାଏଁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ପ୍ରତିବନ୍ଧକ ଆରୋପ କରାଯାଇଛି ଏବଂ ସମସ୍ତ ବନ୍ଦରଗୁଡ଼ିକ ୩ ନମ୍ବର ବିପଦ ସଂକେତରେ ରଖାଯାଇଛି । ଏଥିସହ ପ୍ରଭାବିତ ହେବାର ଆଶଙ୍କା ଥିବା ୧୪ଟି ଜିଲ୍ଲାର ଜଳସମ୍ପଦ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର କମ ରଖାଯାଇ ପ୍ରସ୍ତୁତି ସକ୍ରିୟ କରାଯାଇଛି ।
