ଏକତରଫା ପ୍ରେମକୁ ନେଇ ନାବାଳିକାର ବାପାର ବେକ କାଟି ଦେଲା ଯୁବକ
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅଧୀନ ଆରୁହା ପଞ୍ଚାୟତ ଅନ୍ତର୍ଗତ କୁଞ୍ଛାଗଡ଼ିଆ ଗାଁରେ ଏକତରଫା ପ୍ରେମକୁ ନେଇ ଏକ ଭୟଙ୍କର ଛୁରୀଆଘାତର ଘଟଣା ଘଟିଛି । ଏଥିରେ ନାବାଳିକା ଝିଅର ବାପା ଗୁରୁତର ଭାବରେ ଆହତ ହୋଇଛନ୍ତି ।
ଖବର ଅନୁଯାୟୀ, ବରଣ୍ଡୁଆ ପଞ୍ଚାୟତ କେନାଲ ଆଡି ଗାଁର ଜଣେ ଯୁବକ ଉକ୍ତ ଗାଁର ଜଣେ ନାବାଳିକାଙ୍କୁ ଏକତରଫା ଭାବରେ ପ୍ରେମ କରୁଥିଲେ । ନାବାଳିକାଙ୍କ ବାପା ରାଜେନ୍ଦ୍ର ରାଉତ ଏହି ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ । ବୁଧବାର ଦିନ ରାଜେନ୍ଦ୍ର ତାଙ୍କ ଝିଅକୁ ତୁଳାମତୁଳା ବିଦ୍ୟାଳୟକୁ ଟିଉସନ ପଢିବାକୁ ନେଇଆସିବାର ସମୟରେ ସେହି ଯୁବକ ସେଠାକୁ ଉପସ୍ଥିତ ହୋଇଥିଲେ ।
ଯୁବକଙ୍କୁ ଦେଖିବା ପରେ ରାଜେନ୍ଦ୍ର ତାଙ୍କ ସହିତ ଉଚ୍ଚ ସ୍ୱରରେ କଥା ହୋଇଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇଆସିଥିବା ଯୁବକ ତାଙ୍କ ପକେଟରୁ ଏକ ଧାରୁଆ ଛୁରୀ ବାହାର କରି ରାଜେନ୍ଦ୍ରଙ୍କ ବେକ ଆଡ଼କୁ ଆଘାତ କରିଥିଲେ । ଏହି ଆଘାତରେ ରାଜେନ୍ଦ୍ର ଘଟଣାସ୍ଥଳୀରେ ଗୁରୁତର ଅବସ୍ଥାରେ ପଡିରହିଥିଲେ ।
ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ରାଜେନ୍ଦ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ସାହାଯ୍ୟରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଇଛନ୍ତି । ତାଙ୍କର ଚିକିତ୍ସା ସେଠାରେ ଚାଲିଛି ଏବଂ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଆକ୍ରମଣକାରୀ ଯୁବକକୁ ପୋଲିସ ଗିରଫ କରିନେଇଛନ୍ତି ।
