FeaturedLatestNewsPolitics

ଖାଲି ରଙ୍ଗ ମାରିଲେ ବିକାଶ ହୁଏ ନାହିଁ : ନୂଆପଡାରେ ନବୀନଙ୍କ ଟାର୍ଗେଟରେ ବିଜେପି ସରକାର

ନୂଆପଡା(ସଂକେତ ଟିଭି): ନୂଆପଡା ଉପନିର୍ବାଚନ ପ୍ରଚାରରେ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରକୁ ଭୁବନେଶ୍ୱର ବିମାନବନ୍ଦରରେ ଦେଢ ଘଣ୍ଟା ଧରି କ୍ଲିଅରାନ୍ସ ମିଳିନଥିବା ଘଟଣା ବିବାଦ ସୃଷ୍ଟି କରିଛି। ଏହି ବିଳମ୍ବ ଯୋଗୁଁ ଖରିଆର ରୋଡ୍ ହେଲିପ୍ୟାଡରେ ତାଙ୍କର ପହଞ୍ଚିବାରେ ବିଳମ୍ବ ହୋଇଥିଲା। କାହିଁକି ନିର୍ଦ୍ଧାରିତ ସମୟରେ କ୍ଲିଅରାନ୍ସ ମିଳିଲା ନାହିଁ ତାହା ନେଇ ପ୍ରଶ୍ନ ଉଠିଛି।

ବିଜେଡି ପକ୍ଷରୁ ଏହାକୁ କ୍ଷମତାର ଅପବ୍ୟବହାର ବୋଲି ଆରୋପ କରାଯାଇଛି। ନୂଆପଡା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, “ବିଜେପି ନିଜ କ୍ଷମତାର ଅପବ୍ୟବହାର କରୁଛି, ନିର୍ବାଚନ ଜିତିବା ପାଇଁ ସବୁ କଳା କୌଶଳ କରି ଆମକୁ ଅଟକାଇବାକୁ ଚେଷ୍ଟା କରୁଛି। ହେଲେ ଲୋକେ ନବୀନବାବୁଙ୍କ ପାଇଁ ଯେତେ ଡେରି ହେଲେ ବି ଆଗ୍ରହର ସହ ଅପେକ୍ଷା କରିଛନ୍ତି।”

ବିଳମ୍ବ ଅନ୍ତରେ ଖରିଆର ରୋଡରେ ଅନୁଷ୍ଠିତ ନବୀନ ପଟ୍ଟନାୟକଙ୍କ ରୋଡଶୋରେ ପ୍ରବଳ ଜନସମାଗମ ଦେଖାଦେଇଥିଲା। ଏକ ସ୍ଵତନ୍ତ୍ର ବସରେ ପ୍ରଚାର କରୁଥିବା ନବୀନଙ୍କୁ ସ୍ଥାନୀୟ ନେତା ଓ କର୍ମୀମାନେ ଭବ୍ୟ ସ୍ଵାଗତ ଜଣାଇଥିଲେ। ରୋଡଶୋ ସ୍ଥଳୀରୁ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିଥିଲେ। ତାଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ସେ ନୂଆପଡାବାସୀଙ୍କୁ ଅପିଲ କରିଥିଲେ।

ପରବର୍ତ୍ତୀ ସମୟରେ ଜନସଭାରେ ବକ୍ତବ୍ୟ ଦେଉଥିବା ନବୀନ ପଟ୍ଟନାୟକ କହିଥିଲେ, “ମିଛ ପ୍ରଚାରରେ ବିକାଶ ହୁଏ ନାହିଁ। ଖାଲି ରଙ୍ଗ ମାରିଲେ ବିକାଶ ହୁଏ ନାହିଁ। ମିଥ୍ୟା ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ।” ସେ ବର୍ତ୍ତମାନର ବିଜେପି ସରକାରଙ୍କୁ ଲକ୍ଷ୍ୟକରି ପ୍ରଶ୍ନ କରିଥିଲେ, “ଗତ ୫୦୦ ଦିନ ମଧ୍ୟରେ ଏ ସରକାର ଆପଣମାନଙ୍କ ପାଇଁ କଣ କରିଛନ୍ତି? ୩୦୦ ୟୁନିଟ ମାଗଣା ବିଜୁଳି ମିଳିଲା କି? ତିନି ହଜାର ପାଞ୍ଚଶହ ଟଙ୍କା ପେନସନ ମିଳିଲା କି? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଲା କି? ଯୁବକମାନଙ୍କୁ ଚାକିରି ମିଳିଲା କି?”

ସେ ଆଗକୁ କହିଥିଲେ, “ମିଳିଲା କେବଳ ଧୋକା ଆଉ ଧୋକା। ଆମର BSKY କାର୍ଡରେ ସେବା ମିଳୁଥିଲା, କିନ୍ତୁ ଏବେକାର ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି।”

ନବୀନ ପଟ୍ଟନାୟକ ଗତ ୩ ତାରିଖରେ କୋମନାରେ ଅନୁଷ୍ଠିତ ନିଜ ସଭାକୁ ଲୋକଙ୍କୁ ନ ଆସିବାକୁ ରୋକାଯିବାର ଆରୋପ କରିଥିଲେ। ସେ କହିଥିଲେ, “ଏମାନେ ମିଛ କହି ସରକାର କରି ପାରନ୍ତି, ଏମାନେ ପ୍ରାର୍ଥୀ ବି ଚୋରି କରି ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତି ପାରିବେ ନାହିଁ।”

ସେ ନୂଆପଡା ବାସିନ୍ଦାଙ୍କୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିବାର କାରଣ ବ୍ୟାଖ୍ୟା କରି କହିଥିଲେ, “ନୂଆପଡାରେ ରହି ଆପଣଙ୍କ ସେବା କରିବା ପାଇଁ ମୁଁ ତାଙ୍କୁ ନିର୍ଦ୍ଦେଶ ଦେଇଛି।” ଶେଷରେ ସେ ଲୋକଙ୍କୁ ଅପିଲ କରିଥିଲେ, “୧୧ ତାରିଖ ଦିନ ଭୋଟରେ ଏହାର କଡା ଜବାବ ଦିଅନ୍ତୁ। ବିଜେଡିର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ବହୁ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ।”