FeaturedLatestNews

ବନ୍ଦେ ମାତରମ୍ ଗାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ୭ ତାରିଖରେ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ଜାତୀୟ ଗୀତିଟି ଗାନ କରିଛନ୍ତି। ତାଙ୍କ ସହିତ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଭିନ୍ନ ବିଭାଗର ସଚିବଗଣ ଏବଂ ଲୋକସେବା ଭବନର କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ସମସ୍ତେ ମିଶି ବନ୍ଦେ ମାତରମ୍ ଗାନ କରିଥିଲେ। ଏହି ଅବସରରେ ସେଠାରେ ଏକ ଦେଶାତ୍ମବୋଧକ ପରିବେଶ ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ, ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟ ବନ୍ଦେ ମାତରମ୍ ଗାନ କରିଛନ୍ତି। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ପୂର୍ବରୁ ଚିଠି ଲେଖି ଏହି ଗୀତ ଗାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଜଣାଯାଏ, ଆମର ଜାତୀୟ ଗୀତି ଭାବେ ସ୍ୱୀକୃତ ‘ବନ୍ଦେ ମାତରମ୍’ ଗୀତଟିର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତଟି ତାଙ୍କ ଲିଖିତ ‘ଆନନ୍ଦ ମଠ’ ପୁସ୍ତକରେ ସଂଯୋଜିତ ଥିଲା। ଏହି ପ୍ରସିଦ୍ଧ ଗୀତଟି ୧୮୭୫ ମସିହା ସେପ୍ଟେମ୍ବର ୭ ତାରିଖରେ ଲେଖା ଯାଇଥିଲା ଏବଂ ୧୮୮୨ ମସିହାରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ୧୯୫୦ ମସିହା ଜାନୁଆରି ୨୪ ତାରିଖରେ ଗୀତଟିକୁ ଜାତୀୟ ଗୀତି ଭାବେ ଚୟନ କରାଯାଇଥିଲା।