FeaturedGeneralLatest

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ (ସଂକେତ ଟିଭି): ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାୟରେ ଉଲ୍ଲେଖ ଅଛି ଯେ ମାନବତା ବିରୋଧୀ ଏହି ଅପରାଧ ତାଙ୍କ ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା।

ଶୁଣାଣି ସମୟରେ କୋର୍ଟ ଜଣାଇଥିଲେ ଯେ ପ୍ରଥମ ଅଭିଯୋଗ ଅନୁଯାୟୀ, ପରିସ୍ଥିତି ପରିଚାଳନା ଏବଂ ହିଂସା ରୋକିବା ଶେଖ ହସିନାଙ୍କ ଦାୟିତ୍ବ ଥିଲା, ମାତ୍ର ସେ ତାହା କରିନଥିଲେ। ପ୍ରମାଣରୁ ଜଣାପଡିଛି ଯେ ଜୁଲାଇ ୧୯ ପରେ ଗୃହମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଛାତ୍ର ଆନ୍ଦୋଳନ ଦମନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଖ ହସିନା ପ୍ରତିବାଦକାରୀଙ୍କୁ ଟାର୍ଗେଟ କରିବା ପାଇଁ ଏକ କୋର କମିଟିକୁ ନିର୍ଦ୍ଦେଶ ଦେଇଥିଲେ, ଯାହାପରେ ନିରସ୍ତ୍ର ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।

ରାୟ ପୂର୍ବରୁ କୋର୍ଟ ୫୪ ଜଣ ସାକ୍ଷୀଙ୍କଠାରୁ ସାକ୍ଷ୍ୟ ଶୁଣିଥିଲେ ଏବଂ ଦେଶବ୍ୟାପୀ ଭାବରେ ସଂଗୃହିତ ପ୍ରମାଣଗୁଡିକୁ ଯାଞ୍ଚ କରିଥିଲେ। ଟ୍ରିବ୍ୟୁନାଲ୍ ମତେ ଏହି ସାକ୍ଷ୍ୟ ଓ ପ୍ରମାଣ ଶେଖ ହସିନାଙ୍କ ଦୋଷୀତା ପ୍ରମାଣ କରିବାରେ ଯଥେଷ୍ଟ ଥିଲା। ICTର ମୁଖ୍ୟ ବିଚାରପତି ଉଲ୍ଲେଖ କରିଥିଲେ ଯେ ଶେଖ ହସିନା ପ୍ରତିବାଦକାରୀ ଛାତ୍ର ଓ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ଏବଂ ଢାକା ବିଶ୍ୱବିଦ୍ୟାଳୟର ଭାଇସ୍ ଚାନସେଲରଙ୍କ ସହିତ ଏକ ଫୋନ୍ ବାର୍ତ୍ତାଳାପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ରାୟକୁ ନେଇ ଶେଖ ହସିନା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏହାକୁ ଏକପାଖିଆ ଓ ରାଜନୈତିକ ଭାବେ ପ୍ରେରିତ ବୋଲି ଦାବି କରିଛନ୍ତି। ତାଙ୍କ ମତରେ, ଏହି ନିଷ୍ପତ୍ତି ପୂର୍ବରୁ ନିର୍ଦ୍ଧାରିତ ଥିଲା ଏବଂ ତାଙ୍କୁ ନିଜ ପକ୍ଷ ରଖିବାର ଯଥାର୍ଥ ସୁଯୋଗ ଦିଆଯାଇ ନଥିଲା। ସେ କହିଛନ୍ତି, “ଏହି ନିଷ୍ପତ୍ତି ଏମିତି ଏକ ଟ୍ରିବ୍ୟୁନାଲ୍ ଦେଇଛନ୍ତି ଯାହାକୁ ଅଣନିର୍ବାଚିତ ସରକାର ଚଲାଉଛନ୍ତି… ICTରେ କିଛି ବି ଅନ୍ତରାଷ୍ଟ୍ରୀୟ ନାହିଁ। ଟ୍ରିବ୍ୟୁନାଲ୍ କେବଳ ଆୱାମୀ ଲିଗ୍ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।”