FeaturedGeneralLatest

ଦୁବାଇ ଏୟାର ଶୋରେ ତେଜସ୍ ଦୁର୍ଘଟଣା: ପାଇଲଟଙ୍କ ମୃତ୍ୟୁ

ଦୁବାଇ (ସଂକେତ ଟିଭି): ଶୁକ୍ରବାର ଦୁବାଇ ଏୟାର ଶୋ’ରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ସେଠାରେ ଚାଲିଥିବା ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି ଏବଂ ଏହି ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହୋଇ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଛି ।

ଭିଡିଓରେ ସ୍ପଷ୍ଟ ଦେଖାଯାଇଥିଲା ଯେ, ତେଜସ୍ ଜେଟ୍ ଆକାଶରେ ବିମାନ ଖେଳୁଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଛି ଏବଂ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଘନ କଳା ଧୂଆଁ ଆକାଶକୁ ଉଠିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରଠାରୁ ପାଇଲଟ ବାହାରି ଆସିଥିବା ଦେଖାଯାଇନଥିବାରୁ ତାଙ୍କ ମୃତ୍ୟୁ ସମ୍ବନ୍ଧେ ଆଶଙ୍କା ରହିଥିଲା, ଯାହା ପରବର୍ତ୍ତୀ ସମୟରେ ଭାରତୀୟ ବାୟୁସେନା ଦ୍ୱାରା ନିଶ୍ଚିତ କରାଯାଇଛି ।

ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୨:୧୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା, ଯେତେବେଳେ ହଜାର ହଜାର ଦର୍ଶକ ବିମାନର ଏରୋବାଟିକ୍ସ ପ୍ରଦର୍ଶନ ଦେଖୁଥିଲେ । ଘଟଣାସ୍ଥଳରେ ଆତଙ୍କିତ ଦର୍ଶକଙ୍କ ମଧ୍ୟରେ ପରିବାର ସହିତ ଅନେକ ପିଲା ମଧ୍ୟ ଥିଲେ । ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଦୁବାଇ ଏୟାର ଶୋ’କୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା ।

ତେଜସ୍ ହେଉଛି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ନିର୍ମିତ ଏକ ୪.୫-ପିଢ଼ିର ମଲ୍ଟିରୋଲ୍ ଯୁଦ୍ଧ ବିମାନ । ଏଇମାନ ଏୟାର ଶୋ’ରେ ବିଭିନ୍ନ ଦେଶର ଆଧୁନିକ ବିମାନଙ୍କ ସହିତ ପ୍ରଦର୍ଶନୀ ଦେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଉଲ୍ଲେଖ୍ୟ, ଏହାପୂର୍ବେ ୨୦୨୪ରେ ଜୟସାଲମେରରେ ମଧ୍ୟ ଭାରତୀୟ ବାୟୁସେନାର ଏକ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏମିରେଟସ୍‌ର ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏହି ଏୟାର ଶୋ’ରେ ବିଭିନ୍ନ ଦେଶର ଲଢ଼ୁଆ ବିମାନ ଅଂଶଗ୍ରହଣ କରିଥିଲେ, ଯାହା ଉପରେ ସାରା ବିଶ୍ୱର ନଜର ରହିଥିଲା । ଏଭଳି ଏକ ଗ୍ଲୋବାଲ୍ ମଞ୍ଚରେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ ବିମାନର ଦୁର୍ଘଟଣା ଭାରତ ପାଇଁ ଏକ ବଡ଼ ଆଘାତ ବୋଲି କୁହାଯାଇପାରେ । ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ ହୋଇଛି ବୋଲି କର୍ତ୍ତୃପକ୍ଷ ଇଙ୍ଗିତ ଦେଇଛନ୍ତି ।