ବିଧାନସଭାକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ଏହି ଗୃହର
ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ବିଧାନସଭା ପାଇଁ ଆଜିର ଦିନ ଥିଲା ଐତିହାସିକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଧାନସଭା ଗୃହକୁ ସମ୍ବୋଧିତ କରିଥିଲେ। ‘ଜୟ ଜଗନ୍ନାଥ’ କହି ସେ ନିଜ ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ ଏହି ଗୃହରେ ଉପସ୍ଥିତ ରହି ସେ ଅତ୍ୟନ୍ତ ଆନନ୍ଦିତ। ରାଷ୍ଟ୍ରପତି କହିଥିଲେ, “ମୁଁ ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି, କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ଏକ ସମ୍ପୂର୍ଣ୍ଣ ନିଆରା ଅନୁଭୂତି।”
ବିଧାନସଭା ଗୃହକୁ ଶ୍ରେୟ ଦେଇ ରାଷ୍ଟ୍ରପତି କହିଥିଲେ, “ଆଜି ମୁଁ ଯେଉଁଠି ଅଛି, ତାହାର ଶ୍ରେୟ ଏହି ଗୃହ। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନ ଥିଲେ ମୁଁ ଏଠି ପହଞ୍ଚି ପାରିନଥାନ୍ତି।” ସେ ନିଜର ବିଧାୟିକା ଓ ମନ୍ତ୍ରୀ ରୂପେ ଥିବା ଅନୁଭୂତିକୁ ସ୍ମରଣ କରି କହିଥିଲେ, “ଏହି ଗୃହରେ ମୁଁ ବିଧାୟିକା ଭାବରେ ପ୍ରଶ୍ନ ପଚାରିଛି, ମନ୍ତ୍ରୀ ଭାବରେ ପ୍ରଶ୍ନର ଉତ୍ତର ଦେଇଛି। ଆଜି ଗ୍ୟାଲେରୀରେ ବସିଥିବା ପୂର୍ବତନ ବିଧାୟକଙ୍କ ସହିତ କାମ କରିଛି, ସେମାନଙ୍କୁ ପାଖରେ ପାଇ ମୁଁ ଆବିଭୂତ।”
ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ଐତିହାସିକ ଅବଦାନକୁ ସ୍ମରଣ କରାଇ କହିଥିଲେ, “ଏହି କଳିଙ୍ଗ ଭୂମି ଚଣ୍ଡାଶୋକ ଅଶୋକଙ୍କୁ ଧର୍ମାଶୋକ କରିଛି। ଦେଶର ସ୍ବାଧୀନତା ସଂଗ୍ରାମ ଓ ରାଷ୍ଟ୍ରଗଠନରେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏଇଠି ଇଂରେଜ ବିରୋଧୀ ସଂଗ୍ରାମ ଆରମ୍ଭ ହୋଇଥିଲା ଏବଂ ବକ୍ସି ଜଗବନ୍ଧୁ ବିଦ୍ୟାଧର ଥିଲେ ଏହାର ମହାନାୟକ।” ସେ ମହତାବ, ବିଜୁ ପଟ୍ଟନାୟକଙ୍କ ଭଳି ରାଜ୍ୟ ନିର୍ମାତାଙ୍କୁ ମଧ୍ୟ ସ୍ମରଣ କରିଥିଲେ।
ବିଧାନସଭାରେ ନାରୀ ପ୍ରତିନିଧିତ୍ୱ ବୃଦ୍ଧି ଓ ଜଣେ ମହିଳା ବାଚସ୍ପତି ଥିବାକୁ ଗୁରୁତ୍ଵ ଦେଇ ରାଷ୍ଟ୍ରପତି କହିଥିଲେ, “ଏହା ବିକଶିତ ଭାରତର ପରିକଳ୍ପନା ପାଇଁ ଅତ୍ୟନ୍ତ ସମ୍ଭବନୀୟ।” ସେ ସଭାଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, “ପ୍ରଜାମାନେ ଅନେକ ସ୍ୱପ୍ନ ନେଇ ଆପଣଙ୍କୁ ଏଠି ପଠାଇଛନ୍ତି, ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣଙ୍କ କର୍ତ୍ତବ୍ୟ। ଗୃହରେ ଆପଣଙ୍କ ଉଚ୍ଚାରଣ ଓ ଆଚରଣ ଭଲ ରହିବା ଉଚିତ, କାରଣ ଆଜିର ଟେକ୍ନୋଲୋଜି ଜରିଆରେ ସମସ୍ତେ ଆପଣଙ୍କୁ ଦେଖୁଛନ୍ତି।”
ଏହାପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଜଣେ ଓଡ଼ିଆ ଝିଅ ଭାବରେ ସେ ଦେଶର ସର୍ବୋଚ୍ଚ ଆସନରେ ବସିଥିବାରୁ ସମସ୍ତେ ଗର୍ବିତ। ତାଙ୍କ ରାଜନୈତିକ ଜୀବନ ଏହି ବିଧାନସଭାରୁ ଆରମ୍ଭ ହୋଇଥିବା ବିଷୟଟି ମଧ୍ୟ ଗର୍ବର ଅନୁଭୂତି, ମଧ୍ୟ ତାଙ୍କ ରାଜନୈତିକ ଜୀବନ ଏହି ବିଧାନସଭାରୁ ଆରମ୍ଭ ହୋଇଥିବା ବିଷୟଟି ମଧ୍ୟ ଗର୍ବର ଅନୁଭୂତି। ବିପର୍ଯ୍ୟୟ ପରିଚାଳନା ନୀତି ସାରା ବିଶ୍ୱରେ ଆଦୃତ ବୋଲି ସେ କହିଥିଲେ।
ଗୃହ ନେତା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଜୟ ଜଗନ୍ନାଥ’ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ। ରାଷ୍ଟ୍ରପତି ଅନେକ ସଂଘର୍ଷର ମଧ୍ୟଦେଇ ଯାଇ ଏହି ସଫଳତା ପ୍ରାପ୍ତ କରିଛନ୍ତି ଏବଂ ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସ୍ୱୀକାର କରିବେ। ବ୍ୟକ୍ତିଗତ ଭାବରେ ସେ ନିଜକୁ ବହୁତ ଗର୍ବିତ ଅନୁଭବ କରୁଥିବା ମଧ୍ୟ କହିଥିଲେ। ରାଷ୍ଟ୍ରପତି ଯେଉଁ ଭାବନା ସମ୍ବିଧାନ ଦିବସରେ ପ୍ରକାଶ କରିଥିଲେ, ତାହା ସମସ୍ତ ଦେଶବାସୀଙ୍କ ମନକୁ ସ୍ପର୍ଶ କରିଛି। ରାଷ୍ଟ୍ରପତି ଭାବରେ ଦାୟିତ୍ୱ ନେବା ପରେ ସେ ଅନେକ ଥର ଓଡ଼ିଶା ଆସିଥିଲେ ମଧ୍ୟ, ବିଧାନସଭାକୁ ଆସିବା ତାଙ୍କ ପୁରାଣା ସ୍ମୃତିକୁ ଆଉ ଥରେ ତାଜା କରିବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ମତ ପ୍ରକାଶ କରିଥିଲେ।
ବିଧାୟିକା ରୂପେ କାର୍ଯ୍ୟ କରିବା ପରେ ରାଷ୍ଟ୍ରପତି ହୋଇ ପ୍ରଥମ ଥର ପାଇଁ ସେ ବିଧାନସଭା ଗୃହକୁ ଆସିଥିଲେ। ସେ ୨୦୦୦ ମସିହାରୁ ୨୦୦୯ ମସିହା ଯାଏଁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ଏବଂ ରାଇରଙ୍ଗପୁର ଆସନରୁ ଦୁଇଥର ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମନ୍ତ୍ରିପରିଷଦରେ ସ୍ଥାନ ପାଇଥିବା ଶ୍ରୀମତୀ ମୁର୍ମୁ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏବଂ ପରେ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ। ୨୦୦୭ ମସିହାରେ ତାଙ୍କୁ ଶ୍ରେଷ୍ଠ ବିଧାୟିକା ଭାବରେ ପୁରସ୍କୃତ ମଧ୍ୟ କରାଯାଇଥିଲା।
ଉଲ୍ଲେଖ୍ୟ, ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ, ଯାହାକୁ ୨୯ଟି କାର୍ଯ୍ୟ ଦିବସ ନିର୍ଦ୍ଧାରିତ ହୋଇଛି। ଅଧିବେଶନର ଦ୍ୱିତୀୟ ଦିନ ଶୁକ୍ରବାର (ନଭେମ୍ବର ୨୮)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ବର୍ଷ ପାଇଁ ପ୍ରଥମ ପରିପୂରକ ବଜେଟ୍ ଉପସ୍ଥାପନ କରିଛନ୍ତି। ଡିସେମ୍ବର ୪ ତାରିଖରେ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।
