EntertainmentFeaturedLatestNews

ତୁଳସୀ ଗଣନାଟ୍ୟ ଅଭିନେତ୍ରୀଙ୍କ ଅଭିଯୋଗ: ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ

ପୁରୀ (ସଂକେତ ଟିଭି): ପୁରୀ ପୋଲିସ ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଅଭିଯୋଗ କ୍ରମେ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁରୀ କୃଷ୍ଣପ୍ରସାଦ ଥାନା ପୋଲିସ ଶ୍ରୀକ୍ଷେତ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରି ଆଣିଥିଲେ। ପୁରୀ ହସ୍ପିଟାଲରେ ତାଙ୍କର ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟରେ ଉପସ୍ଥିତ କରାଯାଇଛି ବୋଲି ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ଗତ ୨୦୨୫ ଅଗଷ୍ଟ ୪ ତାରିଖରେ କୃଷ୍ଣପ୍ରସାଦ ଥାନାରେ ଶ୍ରୀକ୍ଷେତ୍ରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ସୋନାଲି ପଣ୍ଡା। ସୋନାଲିଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶ୍ରୀକ୍ଷେତ୍ରଙ୍କ ନାଁରେ ପୋଲିସ ଏକାଧିକ ଗୁରୁତର ଦଫା ଲଗାଇଛି, ଯେଉଁଥିରେ ଧାରା ୩୭୬, ୩୧୩, ୩୬୬, ୩୬୩, ୨୯୪, ୪୯୮(A), ୪୦୬, ୪୧୭, ୪୯୪, ୩୨୩ ସହିତ ପୋକ୍ସୋ ଆଇନ୍ ମଧ୍ୟ ଅନ୍ତର୍ଭୁକ୍ତ।

ଅଭିଯୋଗ ଅନୁସାରେ, ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସହ ଗତ ୨୦୧୨ରେ ସମ୍ପର୍କ ସ୍ଥାପନ କରିଥିଲେ ଶ୍ରୀକ୍ଷେତ୍ର। ସେହି ସମୟରେ ସୋନାଲି ଜଣେ ନାବାଳିକା ଥିଲେ ବୋଲି ଅଭିଯୋଗ ରହିଛି। ତାଙ୍କୁ ତୁଳସୀ ଗଣନାଟ୍ୟରେ ରଖାଇଥିଲେ ଶ୍ରୀକ୍ଷେତ୍ର, କିନ୍ତୁ ପରେ ଧରାଛୁଆଁ ଦେଇନଥିଲେ ବୋଲି କୁହାଯାଇଛି। ବିଭିନ୍ନ ସମୟରେ ମାନସିକ ଅତ୍ୟାଚାର ମଧ୍ୟ ଘଟିଥିବା ଅଭିଯୋଗ ରହିଛି।

ପୁରୀ ଏସପି ଆଗକୁ କହିଛନ୍ତି ଯେ, ଅଭିଯୁକ୍ତଙ୍କର ଏକ ପୁଅ ମଧ୍ୟ ଅଛି ବୋଲି ସୂଚନା ମିଳିଛି। ପୋଲିସ ମହିଳା ଅଭିଯୋଗକାରୀଙ୍କ ଅଭିଯୋଗକୁ ଆଧାର କରି ଶ୍ରୀକ୍ଷେତ୍ରଙ୍କୁ ଗିରଫ ପରେ ଆବଶ୍ୟକୀୟ କାର୍ଯ୍ୟପଦ୍ଧତି ସମାପ୍ତ କରି କୋର୍ଟ ଚାଲାଣ କରିଛନ୍ତି।