ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଭଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର(ସଂକେତ ଟିଭି): ବର୍ତ୍ତମାନର ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ହଇରାଣ କରାଯାଉଥିବା ଏବଂ ନିର୍ବାଚନୀ ପ୍ରତିଶୃତି ପାଳନରେ ଚରମ ବିଫଳତା ଦର୍ଶାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ନିଜ ଚିଠିରେ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, “ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତତ୍ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। କୃଷି ହେଉଛି ଓଡ଼ିଶାର ଜୀବନରେଖା। ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚାଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀଙ୍କ ପାଇଁ ଏକ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରିଛି।”
ଚିଠିରେ ଅଭିଯୋଗ କରାଯାଇଛି ଯେ ସରକାର ଚାଷୀଙ୍କଠାରୁ ବିନା ଅସୁବିଧାରେ ଧାନ ସଂଗ୍ରହ କରିବା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ବାସ୍ତବରେ ଆର୍ଦ୍ରତା ଓ ନିମ୍ନମାନର ନାମରେ ପ୍ରତି କ୍ୱିଣ୍ଟାଲରେ ୫ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ କରାଯାଉଛି। ଏହି ଶୋଷଣମୂଳକ ଅଭ୍ୟାସ ଅନେକ ଜିଲ୍ଲାରେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ମିଲ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଥିବା ମଧୁଚକ୍ରିକା ଯୋଗୁଁ ଚାଷୀମାନେ ସେମାନଙ୍କର କଠିନ ପରିଶ୍ରମର ପୂରା ମୂଲ୍ୟ ପାଉନାହାଁନ୍ତି।
ବିଜେପି ସରକାର ପ୍ରତ୍ୟେକ ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନ ପାଇଁ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବା ଘୋଷଣା କରିଥିଲେ। ମାତ୍ର ନିକଟରେ ଏହି ସବସିଡି ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲର ଏକ ସୀମା ଧାର୍ଯ୍ୟ କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କ ମତରେ, ଏହି ସୀମା ଅଧିକ ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ଏକ ଦଣ୍ଡ ସଦୃଶ ଏବଂ ଏହା ବିଜେପିର ସଂକଳ୍ପ ପତ୍ରର ସହିତ ବିରୋଧାତ୍ମକ। ସେ ପଚାରିଛନ୍ତି, ଚାଷୀଙ୍କୁ ସେମାନଙ୍କର ସମଗ୍ର ଉତ୍ପାଦନ ଉପରେ ୩୧୦୦ ଟଙ୍କା ଇନପୁଟ୍ ସବସିଡି ଦେବା ଘୋଷଣାରୁ ସରକାର କାହିଁକି ପଶ୍ଚାତ୍ପଦ ହେଉଛନ୍ତି?
ଧାନ ମଣ୍ଡିଗୁଡ଼ିକରେ ସଂଗ୍ରହ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିବାରୁ ଚାଷୀମାନେ ରାତିସାରା ଜାଗରଣ କରି ନିଜ ଧାନକୁ କାକର ଓ ଚୋରୀଠାରୁ ରକ୍ଷା କରୁଛନ୍ତି। ମଣ୍ଡିଗୁଡ଼ିକରେ ମୌଳିକ ସୁବିଧାର ଅଭାବ, ଟୋକନ ବ୍ୟବସ୍ଥାର ବିଫଳତା ଏବଂ ପ୍ରାପ୍ୟ ପ୍ରଦାନରେ ଅକାରଣ ବିଳମ୍ବ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରୁଛି। ନିର୍ବାଚନୀ ଇସ୍ତାହାରରେ ୪୮ ଘଣ୍ଟା ମଧ୍ୟରେ DBT ମାଧ୍ୟମରେ ପ୍ରାପ୍ୟ ଦେବାର ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ଅଧିକାଂଶ କ୍ଷେତ୍ରରେ ତାହା ପାଳନ ହେଉନାହିଁ।
ଏହି ସମସ୍ତ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ଋଣ ଶୁଝିବା ପାଇଁ ବାଧ୍ୟ ହୋଇ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅତି କମ୍ ଦାମ୍ରେ ଅସାଧୁ ବ୍ୟବସାୟୀ ଓ ମିଲମାନଙ୍କୁ ନିଜ ଧାନ ବିକ୍ରି କରୁଛନ୍ତି।
ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନବୀନ ପଟ୍ଟନାୟକ ନିମ୍ନଲିଖିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି:
୧. କଟନୀ-ଛଟନୀ ବନ୍ଦ କରିବା ପାଇଁ ମଣ୍ଡିରେ ବିଶେଷ ପ୍ୟାରୋଲ ନିୟୋଜନ ଏବଂ ଦୋଷୀ ମିଲ୍ମାଲିକ ଓ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ।
୨. ଇନପୁଟ୍ ସବସିଡି ପାଇଁ ଥିବା ୧୫୦ କ୍ୱିଣ୍ଟାଲ ସୀମା ତ୍ୟାଗ କରି ସମସ୍ତ ନିବେଦିତ ଚାଷୀଙ୍କଠାରୁ ସମସ୍ତ ଧାନ କ୍ରୟ।
୩. ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ସମସ୍ତ ଚାଷୀଙ୍କୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରାପ୍ୟ ପ୍ରଦାନ।
୪. ୭୨ ଘଣ୍ଟା ମଧ୍ୟରେ ମଣ୍ଡିରେ ପଡିଥିବା ସମସ୍ତ ଧାନର ସଂଗ୍ରହ ସମାପ୍ତ।
ଶ୍ରୀ ପଟ୍ଟନାୟକଙ୍କ ମତରେ, ଚାଷୀଙ୍କ ଅଭିଯୋଗର ସମାଧାନରେ ସରକାରଙ୍କ ବିଫଳତା ରାଜ୍ୟରେ ଚାଷୀ ଆନ୍ଦୋଳନକୁ ତୀବ୍ରତର କରୁଛି।
