FeaturedLatestNews

କାହାର ଟୋକେନ୍ ଲାପ୍ସ ହେବ ନାହିଁ: ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଧାନ କିଣିବ ସରକାର

ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ କୃଷକଙ୍କ ଠାରୁ ଧାନ କିଣିବା ପ୍ରକ୍ରିୟା ଶେଷ କରିବେ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏହି ସମୟ ମଧ୍ୟରେ କୌଣସି ଚାଷୀଙ୍କ ଟୋକେନ୍ ଲାପ୍ସ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ, କୁଇଣ୍ଟାଲ୍ ପିଛା ୩୧୦୦ ଟଙ୍କା ହିସାବରେ ଧାନ କ୍ରୟ କରାଯାଉଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ୧୫ ଲକ୍ଷ ଚାଷୀଙ୍କ ଠାରୁ ୬୪ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିବାବେଳେ, ଏହା ବଦଳରେ ୧୮ ହଜାର ୫୮୬ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବବର୍ତ୍ତୀ ବିଜେଡି ସରକାରଙ୍କ ସମୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୫ ଲକ୍ଷ ପଞ୍ଜୀକୃତ ଚାଷୀ ନିଜ ଧାନ ବିକ୍ରି କରିପାରି ନଥିଲେ। କିନ୍ତୁ ବର୍ତ୍ତମାନ ସରକାର ସମସ୍ତ ଚାଷୀଙ୍କ ଧାନ କିଣୁଥିବା ବେଳେ ସରକାରଙ୍କୁ ବଦନାମ କରିବାକୁ କେତେକ ମହଲରୁ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଇନପୁଟ୍ ସବସିଡି ପ୍ରସଙ୍ଗରେ ସେ କହିଛନ୍ତି ଯେ, ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବାକୁ ସରକାର କୌଣସି ପ୍ରତିଶୃତି ଦେଇ ନଥିଲେ। ନୂଆପଡ଼ା ଉପ-ନିର୍ବାଚନରେ ୮୪ ହଜାର ଭୋଟରେ ବିଜୟ ଲାଭ କରି ଚାଷୀ ସମାଜ ସରକାରଙ୍କ ପ୍ରତି ଥିବା ଆସ୍ଥା ପ୍ରକଟ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧାନ ସଙ୍କଟ ଯୋଗୁଁ ରାଜ୍ୟରେ ଜଣେ ବି ଚାଷୀ ଆତ୍ମହତ୍ୟା କରିଥିବା ଖବର ନାହିଁ।