ଟେଟ୍ରା ପ୍ୟାକ୍ ମଦ ଯୋଜନା: ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ ଓଡ଼ିଶା’? , ପଚାରିଲେ ନବୀନ
ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟରେ ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି କରିବାକୁ ନେଇ ବିଜେପି ସରକାରଙ୍କ ଯୋଜନା ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛି। ଏହାକୁ ନେଇ ଶ୍ରୀ ପଟ୍ଟନାୟକ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ନବୀନ ପ୍ରଶ୍ନ କରିଛନ୍ତି, “ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି କରି ବିଜେପି ସରକାର ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ ଓଡ଼ିଶା’ ଗଠନ କରୁଛି ?” ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ମଦମୁକ୍ତ କରିବାର ବଡ଼ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିଲା ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ବିରୋଧୀ ଦଳ ନେତା ଜଣକ ଅଭିଯୋଗ କରିଛନ୍ତି ଯେ, କ୍ଷମତାକୁ ଆସିବା ପରେ ସରକାର ମଦ ନିବାରଣ ନୁହେଁ ବରଂ ମଦର ପ୍ରସାର ଓ ସହଜ ଉପଲବ୍ଧତା ଦିଗରେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା ଏବଂ କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି କରିବାର ନିଷ୍ପତ୍ତି ଓଡ଼ିଶାବାସୀଙ୍କୁ ହତାଶ ଓ ନିରାଶ କରିଛି ବୋଲି ନବୀନ ପଟ୍ଟନାୟକ ମତ ଦେଇଛନ୍ତି।
ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ତଥା ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାରଙ୍କ ଏଭଳି ପଦକ୍ଷେପ ପରିସ୍ଥିତିକୁ ଆହୁରି ସଂକଟଜନକ କରିଦେବ ବୋଲି ସେ କହିଛନ୍ତି। “ଏହା ଓଡ଼ିଶାର ମା’ଭଉଣୀଙ୍କ ସୁରକ୍ଷାକୁ ଆହୁରି ବିପନ୍ନ କରିବା ସହ ଯୁବସମାଜ ଓ କୋମଳମତି ଛାତ୍ରଙ୍କ ମନକୁ ବିକୃତ କରିବ,” ବୋଲି ନବୀନ ପୋଷ୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି।
ଶେଷରେ ନବୀନ ପଟ୍ଟନାୟକ ସରକାରଙ୍କୁ ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏପରି ନକଲେ ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆନ୍ଦୋଳନକୁ ଜୋରଦାର କରିବ ବୋଲି ସେ ଚେତାବନୀ ଦେଇଛନ୍ତି।
