FeaturedLatestNewsPolitics

ମନମୋହନ ସାମଲ ପୁଣି ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ନିର୍ବାଚିତ

ଭୁବନେଶ୍ବର (ସଂକେତ ଟିଭି): ବିଜେପି ଓଡ଼ିଶା ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଚତୁର୍ଥ ଥର ପାଇଁ ସର୍ବସମ୍ମତିରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ତାଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

ଏହାପୂର୍ବରୁ ମନମୋହନ ସାମଲ ତିନିଥର ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଛନ୍ତି। ୧୯୯୯ରୁ ୨୦୦୦, ୨୦୦୧ରୁ ୨୦୦୪ ଏବଂ ୨୦୨୩ରେ ତୃତୀୟ ଥର ପାଇଁ ସେ ଏହି ଦାୟିତ୍ୱ ନିର୍ବାହ କରିଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ମନମୋହନ ସାମଲଙ୍କ ରାଜନୈତିକ ଯାତ୍ରା ଏବିଭିପି (ABVP)ରୁ ଆରମ୍ଭ ହୋଇ ବିଧାୟକ, ମନ୍ତ୍ରୀ, ସାଂସଦ ଏବଂ ବିଜେପି ରାଜ୍ୟ ସଭାପତି ପର୍ଯ୍ୟନ୍ତ ବିସ୍ତାରିତ। ୧୯୭୯ରେ ଭଦ୍ରକ ମହାବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବେ ତାଙ୍କ ରାଜନୀତି ଆରମ୍ଭ ହୋଇଥିଲା। ୧୯୯୯ରେ ପ୍ରଥମ ଥର ପାଇଁ ବିଜେପି ରାଜ୍ୟ ସଭାପତି ହୋଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନମୋହନ ସାମଲଙ୍କୁ ପ୍ରଶଂସା କରି କହିଛନ୍ତି, “୨୦୨୪ରେ ତାଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ବିଜେପି ଓଡ଼ିଶାରେ ଏକାକୀ ସରକାର ଗଠନ କରିପାରିଛି। ତାଙ୍କ ସାଙ୍ଗଠନିକ ଦକ୍ଷତା ଦଳକୁ ନୂତନ ଉଚ୍ଚତା ଦେଇଛି।”

ନିଜର ଚତୁର୍ଥ କାର୍ଯ୍ୟକାଳ ଆରମ୍ଭରେ ମନମୋହନ ସାମଲ କହିଛନ୍ତି, “ଏବେ ଦାୟିତ୍ୱ ଛିଣ୍ଡି ନାହିଁ, ବରଂ ବଢ଼ିଯାଇଛି। ସବୁ ଗାଁକୁ ଯିବା, ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ଆଶା ପୂରଣ କରିବା ଆମର ମୂଳ ଲକ୍ଷ୍ୟ। ବିଜେପି ସରକାର ୨୦୩୬ ଓ ୨୦୪୭ ମସିହା ପର୍ଯ୍ୟନ୍ତ ଓଡ଼ିଶାକୁ ନେଇ ଯିବ।”

ସେ ଆହୁରି କହିଛନ୍ତି, “ଅସମ୍ଭବ ବୋଲି କିଛି ନାହିଁ। ପରିଶ୍ରମ କଲେ ସବୁ ସମ୍ଭବ। ବିଜେପିର କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଯୋଗୁଁ ହିଁ ଆଜି ଦଳ ଏହି ସ୍ଥାନରେ ପହଞ୍ଚିଛି।”

ତାଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ନୂତନ ରାଜନୈତିକ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି।