FeaturedLatestNewsPolitics

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା : ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ମିଳିଲା

ଭୁବନେଶ୍ବର (ସଂକେତ ଟିଭି): ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଶେଷରେ ଜାମିନ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ତାଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଥିବା ଜାମିନ ପରେ ସେ ଜେଲରୁ ମୁକ୍ତି ପାଇଛନ୍ତି। ନିକଟରେ ଭୁବନେଶ୍ୱର ମହାନଗର ନିଗମ (BMC) ଅଧିକାରୀଙ୍କୁ ମାଡ଼ ମାରିବାର ଅଭିଯୋଗରେ ଜଗନ୍ନାଥ ଗିରଫ ହୋଇଥିଲେ।

ଗତ ୩୦ ଜୁନରେ ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ସହ ୬-୭ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ସାହୁଙ୍କ ଅଭିଯୋଗ ଅନୁଯାୟୀ, ଆକ୍ରମଣକାରୀମାନେ ତାଙ୍କୁ କଲରରୁ ଧରି ଟାଣି ନେଇ ମାରପିଟ କରିଥିଲେ ଏବଂ ଜଗନ୍ନାଥଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ।

ଏହି ମାମଲାରେ ଜଗନ୍ନାଥଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (BNS) ଅଧୀନରେ ୧୧ଟି ଧାରା ଯୋଗେ ଅଭିଯୋଗ କରାଯାଇଥିଲା। ପୂର୍ବରୁ କୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଏହି ଘଟଣାରେ ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା।

ଓଡ଼ିଶା ଆଡ଼ମିନିଷ୍ଟ୍ରେଟିଭ ସର୍ଭିସ (OAS) ସଂଘ ଏହି ଘଟଣାରେ ଜଗନ୍ନାଥଙ୍କୁ ‘ମୁଖ୍ୟ ଅଭିଯୁକ୍ତ’ ଓ ‘ମାଷ୍ଟରମାଇଣ୍ଡ’ ଭାବେ ଚିହ୍ନଟ କରି ତାଙ୍କ ତୁରନ୍ତ ଗିରଫ ଦାବି କରିଥିଲା। ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ଦେଇ ୩ ଦିନର ଅଲଟିମେଟମ୍ ମଧ୍ୟ ଦେଇଥିଲେ। ଏହି ବିବାଦ ପରେ ଓଏଏସ ଅଧିକାରୀମାନେ ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ମାସ ଲିଭରେ ଯାଇ ପ୍ରଶାସନିକ କାର୍ଯ୍ୟକୁ ପ୍ରଭାବିତ କରିଥିଲେ।