FeaturedLatestNews

ଆଇପିଏସ୍ ବଦଳି: ସଞ୍ଜୀବ ପଣ୍ଡା ହେଲେ ନକ୍ସଲ ବିରୋଧୀ ଅପରେସନ୍ ଏଡିଜି

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ଆଜି ଆଇପିଏସ୍ ଅଧିକାରୀଙ୍କ ମଧ୍ୟରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏଥିରେ ବରିଷ୍ଠ ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଡାଙ୍କୁ ଆଣ୍ଟି-ନକ୍ସଲ ଅପରେସନ୍ ବିଭାଗର ଏଡିଜି (ଅତିରିକ୍ତ ପୋଲିସ୍ ମୁଖ୍ୟ) ଭାବେ ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ, ଅଖିଳେଶ୍ୱର ସିଂହଙ୍କୁ ଏସଆଇଡବ୍ଲ୍ୟୁ (ସ୍ପେସିଆଲ୍ ଇଣ୍ଟେଲିଜେନ୍ସ ୱିଂ)ର ଡିଆଇଜି (ଡାଇରେକ୍ଟର୍ ଇନ୍ସପେକ୍ଟର୍ ଜେନେରାଲ୍) ଏବଂ କନଓ୍ହର ବିଶାଳ ସିଂହଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ଡିଆଇଜି ଭାବେ ବଦଳି କରାଯାଇଛି।

ସରକାରୀ ସୂତ୍ରରୁ ଜଣାଯାଇଛି ଯେ, କେନ୍ଦ୍ର ସରକାରଙ୍କ ସହ ମିଳିତ ଭାବେ ନକ୍ସଲ ନିପାତ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରାଯିବ। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରୁ ନକ୍ସଲ ହିଂସାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ, ଅନୁଭବୀ ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଡାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

୧୯୯୪ ବ୍ୟାଚ୍‌ ଆଇପିଏସ୍‌ ସଂଜୀବ ପଣ୍ଡା ପୂର୍ବରୁ ରାଉରକେଲା, ବାଲେଶ୍ବର, ପୁରୀ ଓ ବରଗଡ ଏସପି, ଓ ପରେ ସେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ଡିଆଇଜି ଭାବରେ କାମ କରି ନକ୍ସଲ ଅପରେସନରେ ପ୍ରମୁଖ ଭୂମିକା ନେଇଥିଲେ । ସେ ଆଇଜି ପର୍ସନାଲ, ଆଇଜି ଓଏସଏପି, ଗୁଇନ୍ଦା ନିର୍ଦ୍ଦେଶକ ସହ କ୍ରାଇମବ୍ରାଞ୍ଚ ଏଡିଜି, ଦ୍ବେତ ନଗରୀ କମିଶନର ତଥା ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀର ଟ୍ରେନିଂ ଏଡିଜି ଭାବେ କାର୍ଯ୍ୟ କରୁଥିବା ପଣ୍ଡା, ବର୍ତ୍ତମାନ ନକ୍ସଲ ବିରୋଧୀ ଅପରେସନ୍ ପାଇଁ ନେତୃତ୍ୱ ନେବାରେ ଲାଗିଛନ୍ତି। ତାଙ୍କ କାର୍ଯ୍ଯ କ୍ଷେତ୍ରରେ ବେଶ୍ ନାଁ କରିଥିବା ସଂଜୀବ ପଣ୍ଡାଙ୍କ ଏହି ବଦଳି ରାଜ୍ୟ ସରକାରଙ୍କ ନକ୍ସଲ ବିରୋଧୀ କାର୍ଯ୍ୟକ୍ରମକୁ ନୂତନ ଗତି ଦେବ ବୋଲି ଆଶା କରାଯାଉଛି।