FeaturedLatestNews

୧୩ରେ ଆଉ ଏକ ଘୁର୍ଣ୍ଣିବତ୍ୟା ସୃଷ୍ଟି ହେବା ସମ୍ଭାବନା

ଭୁବନେଶ୍ବର (ସଂକେତ ଟିଭି): ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ଘଟଣା ବୃଦ୍ଧି ପାଇଛି। ଚଳିତ ସିଜନରେ ସାଧାରଣ ତୁଳନାରେ ୩୫% ଅଧିକ ବର୍ଷା ରେକର୍ଡ ହୋଇଛି। ଜୁଲାଇ ମାସରେ ଏଯାଏ ୭୦%ରୁ ଅଧିକ ବର୍ଷା ହୋଇସାରିଛି, ଯାହା ପୂର୍ବ ରେକର୍ଡକୁ ଛାଇଗଲାଣି।

ଅନ୍ୟ ପକ୍ଷରେ, ଆରବ ସାଗରରେ ସକ୍ରିୟ ବାତ୍ୟା ଧୀରେ ଧୀରେ ଗତି କରୁଛି। ପୂର୍ବରୁ ବାତ୍ୟା ଉପକୂଳ ଅତିକ୍ରମ କରିବାକୁ ୩ ଘଣ୍ଟା ସମୟ ନେଉଥିବାବେଳେ ଏବେ ୬ ଘଣ୍ଟା ଲାଗୁଛି। ଏହାର ଫଳସ୍ୱରୂପ ଉପକୂଳୀୟ ଅଞ୍ଚଳରେ ଅତ୍ୟଧିକ ବର୍ଷା, ଜୁଆର ଏବଂ ପ୍ରବଳ ପବନ ଦେଖାଦେଇଛି। ବାତ୍ୟାର ତୀବ୍ରତା ନ ବଢିଥିଲେ ମଧ୍ୟ, ଏହାର ଧୀର ଗତି ଓ ପ୍ରଭାବ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି।

ଆଇଏମଡିର ଡି.ଜି. ଡା. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ପରିସ୍ଥିତି ମାନେଜ୍ କରିବା ପାଇଁ ସୁରକ୍ଷା ଉପାୟ ଆବଶ୍ୟକ। ଘର ପାଖରେ ଥିବା ପୋଖରୀ ଓ ନାଳାକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ଜରୁରୀ। ଚଳିତ ସିଜନରେ ଓଡ଼ିଶାରେ ସାଧାରଣଠାରୁ ଅଧିକ ବର୍ଷା ହେବା ସହ ଲଘୁଚାପ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ମହାନଦୀ, ଗୋଦାବରୀ ଓ କୃଷ୍ଣା ନଦୀ ଅବବାହିକାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି, ଯାହାକୁ ଧ୍ୟାନରେ ରଖି ନିୟମିତ ତଦାରଖ ଆବଶ୍ୟକ।

ସେ ଆହୁରି କହିଛନ୍ତି ଯେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଝାଡ଼ଖଣ୍ଡ ନିକଟରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୧୩ କିମ୍ବା ୧୪ ଜୁଲାଇରେ ଆଉ ଏକ ଘୁର୍ଣ୍ଣିବତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ଓଡ଼ିଶାରେ ପୁନର୍ବାର ଭଲ ବର୍ଷା ଆଣିପାରେ।