FeaturedLatestNews

ବଜ୍ରାଘାତରେ ୩ ଶ୍ରମିକଙ୍କ ମୃତ୍ୟୁ: ଦୁଇ ମହିଳା ସହ ଜେସିବି ଅପରେଟର ମୃତ

ବାଲେଶ୍ଵର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳର ରାଇପାଳ ନିକଟରେ ଆଜି ଅପରାହ୍ନରେ ଏକ ମାର୍ମିକ ଘଟଣା ଘଟିଛି। କେନାଲ କାମରେ ନିୟୋଜିତ ଥିବା ବେଳେ ବଜ୍ରାଘାତରେ ୩ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ମୃତକମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଜଣେ ଜେସିବି ଅପରେଟର ଅଛନ୍ତି। ମୃତକମାନଙ୍କ ନାମ ହେଉଛି ମାମି ସିଂ, ଆଲୁମଣି ସିଂ ଏବଂ ଅଜିତ କୁମାର ହାଜିଦା।

ଘଟଣାସ୍ଥଳୀରୁ ପ୍ରାପ୍ତ ସୂଚନା ଅନୁଯାୟୀ, ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ବରହମପୁର ଥାନା ଅଧୀନରେ ଅଶୋକନାଳ ଗ୍ରାମର ମାମି ସିଂ, ବଢେଇପଲା ଗ୍ରାମର ଆଲୁମଣି ସିଂ ଏବଂ ମଥାନି ଅଞ୍ଚଳର ଜେସିବି ଅପରେଟର ଅଜିତ କୁମାର ହାଜିଦା ରାଇପାଳରେ କେନାଲ କାର୍ଯ୍ୟରେ ନିୟୋଜିତ ଥିଲେ। କାମ ଚାଲିଥିବା ବେଳେ ହଠାତ୍ ବର୍ଷା ଆରମ୍ଭ ହେବାରୁ ଶ୍ରମିକମାନେ ନିକଟସ୍ଥ କ୍ୟାମ୍ପକୁ ଆସିଥିଲେ। ସେଠାରେ ୧୦ରୁ ଅଧିକ ଶ୍ରମିକ ଛିଡ଼ା ହୋଇଥିବା ବେଳେ ହଠାତ୍ ବଜ୍ରପାତ ଘଟିଥିଲା। ଏଥିରେ ୩ ଜଣ ଚେତାଶୂନ୍ୟ ହୋଇ ପଡ଼ିଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଆଂଶିକ ଆହତ ହୋଇଥିଲେ।

ସାଥୀ ଶ୍ରମିକମାନେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦୁଇ ମହିଳା ଏବଂ ଜେସିବି ଅପରେଟରଙ୍କୁ ବରହମପୁର ଗୋଷ୍ଠୀ ଚିକିତ୍ସାଳୟକୁ ନେଇଯାଇଥିଲେ। ଡାକ୍ତରଙ୍କ ଦ୍ଵାରା ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ମୃତକଙ୍କ ଶବକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।