EducationFeaturedLatestNews

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମଦାହ ମାମଲାରେ ନିଲମ୍ବିତ ଅଧ୍ୟକ୍ଷ ଗିରଫ

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ଅନ୍ତରୀଣ ରିପୋର୍ଟ ଆଧାରରେ ନିଲମ୍ବିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଛି।

ରବିବାର ଦିନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଫକୀର ମୋହନ ମହାବିଦ୍ୟାଳୟରେ ପ୍ରାଥମିକ ତଦନ୍ତ କରିଥିଲେ। ସେହି ତଦନ୍ତ ରିପୋର୍ଟ ଆଧାରରେ ସୋମବାର ଦିନ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ଘଟଣାରେ ସହଦେବ ଖୁଣ୍ଟା ଥାନାରେ ୨୨୯/୨୫ ନମ୍ବର କେସ ରେଜିଷ୍ଟର ହୋଇଛି ଏବଂ ବିଏନଏସ ଧାରା ୭୫(୧)(ii)/୭୯/୧୦୮/୩୫୧(୨)/୩(୫) ଅଧୀନରେ ଅଭିଯୋଗ ଗ୍ରହଣ କରାଯାଇଛି। ଇଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି ସତ୍ୟଜିତ୍ ନାୟକ ଜଣାଇଛନ୍ତି ଯେ ଘଟଣାକୁ ଗୁରୁତ୍ୱ ସହିତ ନିଆଯାଇଛି। ପୋଲିସ ପକ୍ଷରୁ ଏକ Swift Trial Initiative (STI) ଟିମ୍ ଗଠନ କରାଯାଇଛି, ଯାହା ତଦନ୍ତକାରୀ, ପ୍ରସିକ୍ୟୁଟର୍ ଓ ଫରେନ୍ସିକ୍ ବିଶେଷଜ୍ଞଙ୍କ ମଧ୍ୟରେ ସମନ୍ୱୟ ସାଧନ କରି ଶୀଘ୍ର ତଦନ୍ତ ସମାପ୍ତ କରିବେ।

ଘଟଣାରେ ଜଣେ ସହକାରୀ ପ୍ରଫେସରଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଛାତ୍ରୀ କ୍ୟାମ୍ପସରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ରହିଛି। ଫଳରେ ତାଙ୍କ ଶରୀରର ୯୦% ପୋଡି ଯାଇଥିବା ବେଳେ ଭୁବନେଶ୍ୱର ଏମସରେ ସେ ଜୀବନ ମରଣ ସଂଘର୍ଷରେ ଅଛନ୍ତି। ପୋଲିସ ଓ ଶିକ୍ଷା ବିଭାଗ ଉଭୟ ପକ୍ଷରୁ ଅଗ୍ରଗତି ରିପୋର୍ଟ ପରେ ଆଗାମୀ ପଦକ୍ଷେପ ନିଆଯିବ।

ଉଚ୍ଚଶିକ୍ଷା ବିଭାଗର ଏକ ୩-ଜଣିଆ ଟିମ୍ ଘଟଣାସ୍ଥଳରେ ୪ ଘଣ୍ଟା ଧରି ତଦନ୍ତ କରିଛି। ଟିମ୍ ର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ପଟ୍ଟନାୟକ, ଯୁଗ୍ମ ସଚିବ ମୌସୁମୀ ନାୟକ ଏବଂ ବିଜେବି କଲେଜ ଅଧ୍ୟକ୍ଷ ପ୍ରଫେସର ଝୁମକୀ ରଥ ଅଛନ୍ତି। ସେମାନେ ଅଭିଯୁକ୍ତ ପ୍ରଫେସର ସମୀର ସାହୁଙ୍କ ସମ୍ପୃକ୍ତି ସହିତ ଅନ୍ୟ ସମ୍ବନ୍ଧିତ ତଥ୍ୟ ଆହରଣ କରୁଛନ୍ତି।