FeaturedLatestNewsPolitics

ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ସଂସଦ ଘେରାଓ କରିବ କଂଗ୍ରେସ

ଭୁବନେଶ୍ବର (ସଂକେତ ଟିଭି): ବାଲେଶ୍ୱର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ପ୍ରକରଣକୁ ନେଇ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ଅଳକା ଲାମ୍ବା ଏକ ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତାକାଲି (ଗୁରୁବାର) ଓଡ଼ିଶା ବନ୍ଦ ଡାକିବା ସହ ଆଗାମୀ ସଂସଦ ଅଧିବେଶନରେ ଘେରାଉ କରିବେ ବୋଲି ସେ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ବାଲେଶ୍ୱର ମେଡିକାଲ କଲେଜରେ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ବିଭାଗୀୟ ମୁଖ୍ୟ (HOD) ଯୌନ ନିର୍ଯାତନା ଚାପ ଦେଇଥିବାର ଅଭିଯୋଗ ରହିଛି। ଏହାକୁ ଗମ୍ଭୀର ଭାବେ ନେଇ ଅଳକା ଲାମ୍ବା କହିଛନ୍ତି, “ଓଡ଼ିଶାରେ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ। ମହିଳାମାନଙ୍କ ନିରାପତ୍ତା ପାଇଁ ସରକାର କୌଣସି କଠୋର ପଦକ୍ଷେପ ନେଉନାହାଁନ୍ତି।”

ଅଳକା ଲାମ୍ବା ଆଗାମୀ ୨୧ ତାରିଖରେ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ ଏହି ପ୍ରସଙ୍ଗକୁ ଉଠାଇବେ ବୋଲି କହିଛନ୍ତି। ସେ ଜଣାଇଛନ୍ତି, “କଂଗ୍ରେସ ସଂସଦ ଘେରାଉ କରି ବାଲେଶ୍ୱର ଘଟଣାରେ ନ୍ୟାୟ ଦାବି କରିବ। ଓଡ଼ିଶାର ମହିଳା ସୁରକ୍ଷା ପ୍ରସଙ୍ଗକୁ ଆମେ ପ୍ରାଥମିକତା ଦେବୁ।”

ଏଥିସହିତ, ଅଳକା ଲାମ୍ବା ଶୀଘ୍ର ଓଡ଼ିଶା ଗସ୍ତ କରି ସୌମ୍ୟାଶ୍ରୀଙ୍କ ପରିବାରକୁ ସାନ୍ତ୍ୱନା ଦେବେ। ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନିପତିଙ୍କ ନେତୃତ୍ୱରେ ବାଲେଶ୍ୱରରେ ଏକ ବିଶାଳ କର୍ମୀ ସମାବେଶ ଆୟୋଜନ କରାଯାଇଛି, ଯେଉଁଥିରେ ଅଳକା ଲାମ୍ବା ଯୋଗଦେବେ।

ଏହାପୂର୍ବରୁ, ଅଳକା ଲାମ୍ବା ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସୋଫିଆ କହିଛନ୍ତି, “ଏହି ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ଉଜାଗର କରିଛି। ସରକାର ଏହାକୁ ଗମ୍ଭୀରତାର ସହ ନେଉନାହାଁନ୍ତି।”