ଦେବଝରଣ ଜଳପ୍ରପାତରେ ୨ ମେଡିକାଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
ସମ୍ବଲପୁର (ସଂକେତ ଟିଭି): ଦେବଝରଣ ଜଳପ୍ରପାତରେ ଏକ ମାର୍ମିକ ଘଟଣାରେ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜର ଏହି ଦୁଇ ଛାତ୍ରଛାତ୍ରୀ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗଭୀର ପାଣିରେ ବୁଡି ଯାଇ ଉଭୟଙ୍କ ମୃତ୍ୟୁ ହୋଇଥିବା ପୋଲିସ ତରଫରୁ ଜଣାଯାଇଛି।
ଘଟଣାଟି ଆଜି ଦିନସାରା ୧.୧୫ ଘଟିକା ସମୟରେ ଘଟିଥିଲା। ଜୁଯୁମୁରା ଥାନା ଅଧୀନସ୍ଥ ଦେବଝରଣ ଜଳପ୍ରପାତକୁ ଭୀମସାର ମେଡିକାଲ କଲେଜର ୬ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଗଭୀର ପାଣିରେ ଛାତ୍ର ସନ୍ଦୀପ ପୁରୀ (୨୪) ଓ ଛାତ୍ରୀ ମୋନିକା ମୀନା (୨୪) ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିପାରିନଥିଲେ।
ପରବର୍ତ୍ତୀ ସମୟରେ ପୋଲିସ ଓ ଫାୟାର ସର୍ଭିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ଜୁଯୁମୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ଅନୁସାରେ, ସନ୍ଦୀପ ନୂଆଦିଲ୍ଲୀର ନଜଫଗଡ଼ ନିବାସୀ ଥିବା ବେଳେ ମୋନିକା ରାଜସ୍ଥାନର ମାଉଣ୍ଟଆବୁ ଅଞ୍ଚଳର ବାସିନ୍ଦା ଥିଲେ।
ଘଟଣା ପରେ ଜୁଯୁମୁରା ପୋଲିସ ମାମଲା ତଦନ୍ତ କରୁଛି। ଅନ୍ୟ ପକ୍ଷରେ, ଭୀମସାର ମେଡିକାଲ କଲେଜର ଅଧିକ୍ଷକ ଲାଲ ମୋହନ ନାଏକ ଓ ଡିନ ପ୍ରଦୀପ ମହାନ୍ତି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ବୁଝିଥିଲେ। ଏହି ଦୁଃଖଦ ଘଟଣାରେ ଛାତ୍ରଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
