FeaturedLatestNewsPolitics

ମିଛ ପଞ୍ଜିକରଣ କରି ସରକାରୀ ରାଜସ୍ୱ ଲୁଟ୍ କରୁଛନ୍ତି ନକଲି ଚାଷୀ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ନକଲି ଚାଷୀଙ୍କ ବ୍ୟାପକ ଜାଲିଆତି ଉପରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଆଜି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ ଚାଷୀଙ୍କୁ ଲାଭ ନମିଳିବା ପଛରେ ଏହି ନକଲି ଚାଷୀମାନଙ୍କ ଭୂମିକା ରହିଛି। ଏମାନେ ଚାଷୀ ନାମରେ ମିଛ ପଞ୍ଜିକରଣ କରି ସରକାରୀ ରାଜସ୍ୱ ଲୁଟ୍ କରୁଛନ୍ତି।

ମନ୍ତ୍ରୀ ସାମନ୍ତ କହିଛନ୍ତି, “ଚାଷୀ ନୁହେଁ, ଦଳାଲ ଏବଂ ବିଜେଡି ସମର୍ଥିତ ଲୋକମାନେ ଏହି ଜାଲିଆତି କରୁଛନ୍ତି। ବିଜେଡି ସରକାରଙ୍କ ସମୟରୁ ଏମାନେ ଏଭଳି ରାଜସ୍ୱ ଲୁଟ୍ କରି ଆସୁଛନ୍ତି। ଯେଉଁମାନେ ଧରା ପଡିଛନ୍ତି, ସେମାନେ ପ୍ରାୟତଃ ବିଜେଡି ସମର୍ଥିତ ଲୋକ।”

ପୂର୍ବତନ ସରକାରଙ୍କ କାଳରେ ଚାଷୀ ନାମରେ ମିଛ ପଞ୍ଜିକରଣ ବ୍ୟାପକ ଭାବରେ ହୋଇଥିବା କଥା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗତବର୍ଷ ଅନେକ ନକଲି ଚାଷୀ ଧାନ ବିକ୍ରି କରିଥିବା ଘଟଣା ଜାଣିବା ପରେ ସରକାର କଡ଼ା ଯାଞ୍ଚ ଆରମ୍ଭ କରିଥିଲେ। ସେ କହିଛନ୍ତି, “ଆମେ ଦେଖିଲୁ ଯେ, ଯେଉଁମାନେ ପ୍ରକୃତରେ ଚାଷ କରିନଥିଲେ, ସେମାନେ ଟୋକନ ପାଇଥିବାବେଳେ ପ୍ରକୃତ ଚାଷୀମାନେ ବଞ୍ଚିତ ହୋଇଥିଲେ।”

ଏହି ଘଟଣା ପରେ ସରକାର ତଦନ୍ତ କରି ୧ ଲକ୍ଷ ୮୧ ହଜାର ନକଲି ଚାଷୀଙ୍କୁ ଚିହ୍ନଟ କରିଛନ୍ତି। ଏବେ ସେମାନଙ୍କୁ କାରଣ ଦର୍ଶାଇବାକୁ ନୋଟିସ୍ ପଠାଯାଇଛି। ଉତ୍ତର ନମିଳିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଜଣାଇଛନ୍ତି। ମନ୍ତ୍ରୀ ସାମନ୍ତ କହିଛନ୍ତି ଯେ, ଆହୁରି ଅନେକ ନକଲି ଚାଷୀ ଧରାପଡିବାର ସମ୍ଭାବନା ରହିଛି।