ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ: ନିର୍ବାଚନ ଆୟୋଗ ଉପରେ ଗମ୍ଭୀର ଆକ୍ଷେପ
ନୂଆଦିଲ୍ଲୀ (ସଂକେତ ଟିଭି): ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିର୍ବାଚନ ଆୟୋଗ ଉପରେ ଗମ୍ଭୀର ଅଭିଯୋଗ ଉଠାଇଛନ୍ତି । ସେ ଦାବି କରିଛନ୍ତି ଯେ ୨୦୧୪ ପରଠାରୁ ଦେଶରେ ଭୋଟ ଚୋରି ଚାଲିଛି ଏବଂ ଏଥିରେ ନିର୍ବାଚନ ଆୟୋଗର ହାତ ରହିଛି । ତାଙ୍କ ପାଖରେ ଏହାର ମଜବୁତ ପ୍ରମାଣ ମଧ୍ୟ ରହିଛି ବୋଲି ସେ କହିଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି, “ନିର୍ବାଚନ ଆୟୋଗ ଭୋଟ ଚୋରିରେ ସମ୍ପୂର୍ଣ ସହଯୋଗ କରୁଛି । ଆମ ପାଖରେ ଏହାର ପ୍ରମାଣ ଅଛି ଏବଂ ଶୀଘ୍ର ଏହା ଲୋକଙ୍କ ପାଖରେ ପହଞ୍ଚିବ । ଲୋକେ ଜାଣିପାରିବେ କିପରି ନିର୍ବାଚନ କମିଶନ ବିଜେପି ପାଇଁ ଭୋଟ ଚୋରି କରୁଛି ।”
ରାହୁଲ ଗାନ୍ଧୀ କହିଛନ୍ତି ଯେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମେ ସନ୍ଦେହ ଜାଗ୍ରତ ହୋଇଥିଲା, ଯାହା ପରେ ଲୋକସଭା ନିର୍ବାଚନରେ ମଧ୍ୟ ଦେଖାଦେଇଥିଲା । ମାତ୍ର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏହି ଅଭିଯୋଗ ସ୍ପଷ୍ଟ ହୋଇଛି ।
ସେ କହିଛନ୍ତି, “ମହାରାଷ୍ଟ୍ର ନିର୍ବାଚନର ୬ ମାସ ପୂର୍ବରୁ ଭୋଟର ତାଲିକାରେ ୧ କୋଟି ନୂଆ ଭୋଟର ଯୋଡ଼ା ଯାଇଥିଲା । ଏହି ଅନିୟମିତତା ବିଷୟରେ ଅଭିଯୋଗ କରିବା ସତ୍ତ୍ୱେ ନିର୍ବାଚନ ଆୟୋଗ ଆମକୁ କୌଣସି ତଥ୍ୟ ଦେଇନାହାନ୍ତି । ଆମ ତରଫରୁ ତଦନ୍ତ କରାଯାଇଛି ଏବଂ ଫଳାଫଳ ଆଟମ୍ ବମ୍ ପରି ପ୍ରମାଣିତ ହୋଇଛି ।”
ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗକୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି, “ଯେଉଁମାନେ ଏହି ଦେଶଦ୍ରୋହୀ କାର୍ଯ୍ୟରେ ଜଡିତ, ସେମାନଙ୍କୁ ଛାଡ଼ ଦିଆଯିବ ନାହିଁ । ତଳରୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଖୋଜି ବାହାର କରାଯିବ । କର୍ଣ୍ଣାଟକରେ ଏହାର ଖୁଲାସା ମଧ୍ୟ ହେବ ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ର ନିର୍ବାଚନରେ ବିରୋଧୀଦଳକୁ ପ୍ରତାରଣା କରାଯାଇଥିଲା । ଭୋଟର ତାଲିକା ଏବଂ ଭୋଟିଂ ଭିଡିଓଗ୍ରାଫି ମାଗିବା ସତ୍ତ୍ୱେ ନିର୍ବାଚନ କମିଶନ ସେଗୁଡିକ ଦେଇନଥିଲେ । ଏହି ଘଟଣା କର୍ଣ୍ଣାଟକରେ ମଧ୍ୟ ଘଟିଛି ବୋଲି ସେ ଦାବି କରିଛନ୍ତି ।
