FeaturedLatestNewsPolitics

ନୂତନ ମହିଳା ଓ ଶିଶୁ ଆୟୋଗ ଅଧ୍ୟକ୍ଷା: ସୋଭନା ଓ ବବିତାଙ୍କୁ ନିଯୁକ୍ତି  

ଭୁବନେଶ୍ବର (ସଂକେତ ଟିଭି): ମହିଳା ବିରୋଧୀ ହିଂସା ନେଇ ରାଜ୍ୟରେ ଦିନକୁ ଦିନ ଆଲୋଚନା ବଢ଼ିଥିବା ମଧ୍ୟରେ ରାଜ୍ୟ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇ ଏହି ଦିଗରେ ଜୋରଦାର ପଦକ୍ଷେପ ନେଇଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ଭାବେ ସୋଭନା ମହାନ୍ତି ଏବଂ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବେ ବବିତା ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

ବାଲେଶ୍ୱର ଜିଲ୍ଲାର ରେମୁଣା କରଞ୍ଜିଆର ବାସିନ୍ଦା ସୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଛି । ଅଗଷ୍ଟ ୫, ୨୦୨୫ରୁ ଆରମ୍ଭ କରି ୩ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ । ମହିଳାଙ୍କ ଅଧିକାର, ସୁରକ୍ଷା ଏବଂ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ଏହି କମିଶନର ମୁଖ୍ୟ ଲକ୍ଷ୍ୟ ।

ବ୍ରହ୍ମପୁର ନିବାସୀ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଛି । ସେ ମଧ୍ୟ ୩ ବର୍ଷ ପାଇଁ ଏହି ଦାୟିତ୍ୱ ନେଇଛନ୍ତି, ମାତ୍ର ୬୫ ବର୍ଷ ବୟସରେ ପଦଚ୍ୟୁତ ହେବେ । ଏହାସହିତ ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।

ଗତ ବର୍ଷ ଅକ୍ଟୋବର ୨୩ରେ ମହିଳା କମିଶନର ପୂର୍ବ ଅଧ୍ୟକ୍ଷା ମିନତୀ ବେହେରା ଓ ୪ ଜଣ ସଦସ୍ୟାଙ୍କୁ ବରଖାସ୍ତ କରାଯାଇଥିଲେ । ମାତ୍ର, ମିନତୀ ପଦ ଛାଡିନଥିବାରୁ ନଭେମ୍ବର ୧୧ରେ ତାଙ୍କୁ ପଦଚ୍ୟୁତ କରାଯାଇଥିଲା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଟ୍ୱିଟରେ ଏହି ନିଯୁକ୍ତିକୁ ଲକ୍ଷ୍ୟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, “ମହିଳା ଓ ଶିଶୁ ସୁରକ୍ଷା ଦିଗରେ ଏହି ନିଯୁକ୍ତି ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ସମସ୍ତଙ୍କୁ ମୋର ଅଭିନନ୍ଦନ ଓ ଶୁଭକାମନା ।”