ଜିଲ୍ଲା ମୁଖ୍ୟାଳୟରେ କେଉଁମାନେ ପତାକା ଉତ୍ତୋଳନ କରିବେ ସେନେଇ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର (ସଂକେତ ଟିଭି): ଭାରତର ୭୯ତମ ସ୍ବାଧୀନତା ଦିବସ ପାଖେଇ ଆସୁଛି। ଏହି ଗଣପର୍ବ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ଜାତୀୟ ପର୍ବ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରସ୍ତୁତି ଚାଲିଛି। ସ୍ବାଧୀନତା ଦିବସକୁ ମହାସମାରୋହରେ ପାଳନ କରିବାକୁ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି। ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିବେ। ଜିଲ୍ଲା ମୁଖ୍ୟାଳୟରେ କେଉଁମାନେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
କଟକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦୁଝରରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପତାକା ଉତ୍ତୋଳନ କରିବେ। ସେହିପରି ସୁନ୍ଦରଗଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ବଲପୁରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପତାକା ଉତ୍ତୋଳନ କରିବେ।
ବଲାଙ୍ଗୀରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, କନ୍ଧମାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କଳାହାଣ୍ଡିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ପୁରୀରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପତାକା ଉତ୍ତୋଳନ କରିବେ।
ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ବିଭିନ୍ନ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବେ। ଗଜପତିରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ଭଦ୍ରକରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ନବରଙ୍ଗପୁରରେ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ଅନୁଗୁଳରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପତାକା ଉତ୍ତୋଳନ କରିବେ।
ରାୟଗଡ଼ାରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ମୟୂରଭଞ୍ଜରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମଧ୍ୟ ସ୍ବାଧୀନତା ଦିବସ ଉତ୍ସବରେ ପତାକା ଉତ୍ତୋଳନ କରିବେ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସୁଚାରୁ ଭାବେ ପାଳନ କରାଯିବ।