FeaturedLatestNews

ସ୍ବାଧୀନତା ଦିବସରେ ଓଡ଼ିଶାର ୨୩ କର୍ମଚାରୀଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ଵର (ସଂକେତ ଟିଭି): ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କ ସେବା ଓ ବୀରତ୍ଵ ପାଇଁ ଓଡ଼ିଶାର ୨୩ ଜଣ ପୁଲିସ, ଅଗ୍ନିଶମ ବାହିନୀ ଓ ସୁଧାର ସେବା କର୍ମଚାରୀଙ୍କୁ କେନ୍ଦ୍ର ସରକାର ପୁରସ୍କାର ପ୍ରଦାନ କରିବେ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ମୋଟ ୧,୦୯୦ ଜଣ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକ ପ୍ରଦାନ କରାଯିବାର ଘୋଷଣା କରାଯାଇଛି।

ଓଡ଼ିଶାରୁ ଏଏସ୍ପି ରବୀନ୍ଦ୍ର ପଣ୍ଡା ଓ କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଏହା ବ୍ୟତୀତ ୯ ଜଣଙ୍କୁ ସାହସିକତା ପଦକ ଓ ୧୧ ଜଣଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ।

ପୁଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ସହକାରୀ ମହାନିରୀକ୍ଷକ ମହେଶ୍ୱର ସେଠି, ଅତିରିକ୍ତ ପୁଲିସ ଅଧୀକ୍ଷକ ପ୍ରଦୀପ କୁମାର ପ୍ରଧାନ, ଇନ୍ସପେକ୍ଟର ଏ. ଶ୍ରୀନିବାସ ଦୋରା, ଉପ ପୁଲିସ ଅଧୀକ୍ଷକ ହେମାମାଳିନୀ ନାୟକ ସମେତ ୧୧ ଜଣଙ୍କୁ ପୁଲିସ ପଦକ ମିଳିବ।

ଅଗ୍ନିଶମ ବାହିନୀରେ ୨ ଜଣ, ହୋମଗାର୍ଡ ଓ ସିଭିଲ ଡିଫେନ୍ସରେ ୩ ଜଣ ଏବଂ ସୁଧାର ସେବାରେ ୩ ଜଣ କର୍ମଚାରୀଙ୍କୁ ପଦକ ମିଳିବ। ବୀରତ୍ଵ ପାଇଁ ସବ୍-ଇନ୍ସପେକ୍ଟର ଅମରେଶ ଚନ୍ଦ୍ର ନରେନ୍ଦ୍ର, କନେଷ୍ଟବଳ ଜିତେନ୍ଦ୍ର ନାୟକ, ଓପିଏଫ୍ କର୍ମୀ ଅର୍ଜୁନ ମଲ୍ଲିକ ସମେତ ୯ ଜଣଙ୍କୁ ପୁରସ୍କୃତ କରାଯିବ।

ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଜାମ୍ମୁ-କଶ୍ମୀରର ୧୫୨ ଜଣ, ମାଓବାଦୀ ଅଞ୍ଚଳର ୫୪ ଜଣ ଓ ଉତ୍ତର-ପୂର୍ବ ରାଜ୍ୟର ୩ ଜଣ କର୍ମଚାରୀଙ୍କୁ ଏହି ସମ୍ମାନ ଦିଆଯିବ। ଜୀବନ ଓ ସମ୍ପତ୍ତି ରକ୍ଷା, ଅପରାଧ ନିୟନ୍ତ୍ରଣରେ ସାହସ ଦେଖାଇଥିବା କର୍ମୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ।