FeaturedGeneralLatest

ଲାଲକିଲ୍ଲାରୁ ମୋଦିଙ୍କ ସମ୍ବୋଧନ, କହିଲେ ଦିପାବଳି ପୂର୍ବରୁ ହେବ ଜିଏସଟି ହ୍ରାସ

ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ଆତଙ୍କବାଦ ବିରୋଧରେ ଭାରତର “ଜିରୋ ଟଲେରାନ୍ସ” ନୀତି ପୁନରାବୃତ୍ତି କରିଛନ୍ତି । ୧୦୩ ମିନିଟ୍ ଦୀର୍ଘ ଭାଷଣରେ ତାଙ୍କୁ ଶତ୍ରୁ ରାଷ୍ଟ୍ରଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଶକ୍ତିଙ୍କୁ ଭାରତ କ୍ଷମା କରିବ ନାହିଁ । ଅପରେସନ ସିନ୍ଦୂରରେ ଭାରତୀୟ ସେନାର ସାହସକୁ ସାଲ୍ୟୁଟ୍ କରି ମୋଦି କହିଛନ୍ତି, “ଆମ ଯୋଦ୍ଧାମାନେ ଶତ୍ରୁଙ୍କୁ ଅପ୍ରତିଦ୍ୱନ୍ଦ୍ୱ ପ୍ରତିଶୋଧ ଦେଇଛନ୍ତି ।”

ପହଲଗାମ ଆକ୍ରମଣର ଘଟଣାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ସୀମାପାର ଆତଙ୍କୀମାନେ ଧର୍ମ ପଚାରି ନିରୀହ ନାଗରିକଙ୍କୁ ହତ୍ୟା କରିଥିଲେ । ଏହାର ପ୍ରତିଶୋଧ ଅପରେସନ ସିନ୍ଦୂରରେ ମିଳିଛି । ଆମ ସେନା ଶତ୍ରୁର ମାଟିରେ ପ୍ରବେଶ କରି ତାଙ୍କ ମୁଖ୍ୟ କେନ୍ଦ୍ରକୁ ଧ୍ୱଂସ କରିଦେଇଛନ୍ତି ।” ପାକିସ୍ତାନକୁ ଲକ୍ଷ୍ୟ କରି ମୋଦି କହିଛନ୍ତି, “ଆମେ ପରମାଣୁ ଧମକକୁ ଆଉ ସହିବୁ ନାହିଁ । ଯଦି କେହି ଆମକୁ ଆତଙ୍କିତ କରିବାକୁ ଚେଷ୍ଟା କରିବେ, ଆମେ ଶକ୍ତ ପ୍ରତିକ୍ରିୟା ଦେବୁ ।”

ଭାରତର ଅର୍ଥନୈତିକ ସ୍ବାଧୀନତା ଉପରେ ଗୁରୁତ୍ବ ଦେଇ ମୋଦି କହିଛନ୍ତି, “ଆମେ ଏକ ସ୍ବାବଲମ୍ବୀ ଭାରତ ଗଠନ କରିବାକୁ ଚେଷ୍ଟା କରୁଛୁ । ସେମିକଣ୍ଡକ୍ଟର ଓ ରକ୍ଷା ଉତ୍ପାଦନରେ ଆମେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛୁ ।” ଯୁବସମାଜଙ୍କ ପାଇଁ ମଧ୍ୟ ଖୁସି ଖବର ଦେଇଛନ୍ତି ପ୍ରଧାନମନ୍ତ୍ରୀ: “୧ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଯୋଜନା ଅଧୀନରେ ପ୍ରଥମ ଚାକିରି କରୁଥିବା ୩.୫ କୋଟି ଯୁବକ-ଯୁବତୀଙ୍କୁ ୧୫,୦୦୦ ଟଙ୍କା ପ୍ରୋତ୍ସାହନ ଦିଆଯିବ ।”

ଦୀପାବଳି ପୂର୍ବରୁ ଜିଏସଟି ହ୍ରାସ କରାଯିବ ବୋଲି ଘୋଷଣା କରିଛନ୍ତି ମୋଦି । ଏଥିସହ ସୁଦର୍ଶନ ମିଶନ ଓ ପାୱାର ଫୁଲ୍ ୱିପେନ ସିଷ୍ଟମ ପରି ନୂତନ ପ୍ରଯୁକ୍ତି ଆରମ୍ଭ କରାଯିବ । ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବେ ଦୃଢ ଓ ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରୁଛି, ଏବଂ ଏହି ଯାତ୍ରାରେ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଆବଶ୍ୟକ ।”