FeaturedLatestNews

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ: ବିକାଶମୂଳକ ଯୋଜନା ଓ ନୂତନ ପଦକ୍ଷେପର ଘୋଷଣା

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରରେ ଆଜି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟର ବିକାଶ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ଯୋଜନା ଓ ପଦକ୍ଷେପର ଘୋଷଣା କରିଛନ୍ତି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ
ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟରେ ଆହୁରି ନୂଆ ମେଡିକାଲ କଲେଜ ଖୋଲାଯିବା ସହିତ ବ୍ରହ୍ମପୁର ମେଡିକାଲ କଲେଜକୁ ଏମ୍ସ ପ୍ଲସ ଭାବେ ଉନ୍ନତ କରିବାକୁ ଘୋଷଣା କରିଛନ୍ତି। ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରଠାରେ ସରକାରୀ ମେଡିକାଲ କଲେଜ ଖୋଲାଯିବ। ଏହା ସହିତ ରାଜ୍ୟର ୩ଟି ପ୍ରମୁଖ ମେଡିକାଲ କଲେଜରେ ରୋଗୀଙ୍କ ଆତ୍ମୀୟଙ୍କ ପାଇଁ ୨,୨୫୦ ଶଯ୍ୟାର ରହଣି ବ୍ୟବସ୍ଥା କରାଯିବ।

ଅନ୍ନସୁରକ୍ଷା ଓ ଗରିବ କଲ୍ୟାଣ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୧୧ଟି ଜିଲ୍ଲାର ୨୭ ଲକ୍ଷ ହିତାଧିକାରୀ ପରିବାରକୁ ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ସମୃଦ୍ଧ କୃଷକ ଯୋଜନା ଓ ପିଏମ୍ କିଷାନ ଯୋଜନାରେ ୫୦ ଲକ୍ଷ ଚାଷୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ସହାୟତା ମିଳୁଛି।

ଶିଳ୍ପ ଓ ରୋଜଗାର
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିଛି ଏବଂ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଫାର୍ମା କ୍ଷେତ୍ରରେ ଓଡିଶାକୁ ଏକ ପ୍ରମୁଖ ହବ୍ ଭାବେ ଗଢିବା ପାଇଁ ଫାର୍ମା କନକ୍ଳେଭ୍ ଆୟୋଜନ କରାଯିବ, ଯାହାଦ୍ୱାରା ୨.୫ ଲକ୍ଷ ରୋଜଗାର ସୃଷ୍ଟି ହେବ।

ମହିଳା ସଶକ୍ତିକରଣ
ମୁଖ୍ୟମନ୍ତ୍ରୀ ମାଝୀ ମହିଳାଙ୍କ ସଶକ୍ତିକରଣ ପାଇଁ “ସୁଭଦ୍ରା ଯୋଜନା”ରେ ୧ କୋଟି ମହିଳାଙ୍କୁ ସାମିଲ କରାଯାଇଛି ବୋଲି କହିଛନ୍ତି। ଏହି ଯୋଜନାରେ ମହିଳାମାନେ ୧୫,୦୦୦ ଟଙ୍କା ପାଇ କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କରୁଛନ୍ତି। ମହିଳା ସୁରକ୍ଷା ପାଇଁ “ଶୂନ୍ୟ ସହନଶୀଳତା” ନୀତି ଅନୁସରଣ କରାଯାଉଛି।

ଶିକ୍ଷା ଓ ଯୁବ କଲ୍ୟାଣ
ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଉଚ୍ଚଶିକ୍ଷାରେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଯୁବକଙ୍କ ପାଇଁ ଅଗ୍ନିବୀର ପ୍ରଶିକ୍ଷଣ ଯୋଜନା କାର୍ଯ୍ୟକାରୀ କରାଯିବ।

ଆଇନ୍ ଶୃଙ୍ଖଳା ଓ ନିଶା ନିବାରଣ
ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟରେ ସଂଗଠିତ ଅପରାଧ ଓ ନିଶା କାରବାରକୁ ଦୃଢ଼ତାର ସହିତ ଦମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ଯେକୌଣସି ପ୍ରଭାବଶାଳୀ ବ୍ୟକ୍ତି ଅପରାଧୀ ହେଲେ ମଧ୍ୟ ତାଙ୍କୁ ଦଣ୍ଡ ଦିଆଯିବ।”

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟବାସୀଙ୍କୁ ଏକ ନୂଆ ଓଡିଶା ଗଠନରେ ସାହାଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଏକ ସମୃଦ୍ଧ, ସଶକ୍ତ ଓ ଅଭିବୃଦ୍ଧିଶୀଳ ଓଡିଶା ଗଠନ।”