FeaturedLatestNewsPolitics

ପୂର୍ବ ସରକାରର ନିଷ୍ପତ୍ତିକୁ ନିଜ ନାମରେ ଘୋଷଣା କରୁଛି ରାଜ୍ୟ ସରକାର : ଅରୁଣ ସାହୁ

ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି) ବିଧାୟକ ଅରୁଣ ସାହୁ ଆଜି ନୂତନ ଏନଏସିସି ଚିଠି ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ନିଜ ନାମରେ ଘୋଷଣା କରୁଛନ୍ତି ।

ସାହୁ କହିଛନ୍ତି, “ଗାଁକୁ ସହର ଘୋଷଣା କରିବାରେ ଆମର କୌଣସି ଆପତ୍ତି ନାହିଁ । ମାତ୍ର, ପୂର୍ବ ସରକାର ଯେଉଁ ୫୭ ଅଞ୍ଚଳକୁ ଏନଏସିସି ଘୋଷଣା କରିଥିଲେ, ସେଗୁଡ଼ିକୁ ମଧ୍ୟ ତୁରନ୍ତ ଲାଗୁ କରାଯାଉ । ନଚେତ୍, ଆଗାମୀ ଦିନରେ ପ୍ରତ୍ୟେକ ଅଞ୍ଚଳରେ ଆନ୍ଦୋଳନ ଦେଖାଦେବ ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ୩୫ରୁ ୪୦% ସହରାଞ୍ଚଳ ରହିଛି, ଯେତେବେଳେ ଓଡ଼ିଶାରେ ମାତ୍ର ୨୦ରୁ ୨୨% ସହରାଞ୍ଚଳ ଅଛି । ଏଥିପାଇଁ ଗ୍ରାମାଞ୍ଚଳକୁ ସହରରେ ପରିଣତ କରିବା ଆବଶ୍ୟକ । ମାତ୍ର, ନବୀନ ସରକାରଙ୍କ ନିଷ୍ପତ୍ତିକୁ ବନ୍ଦ କରି ନୂତନ ସରକାର ନିଜ ନାମରେ ଘୋଷଣା କରିବା ଉଚିତ୍ ନୁହେଁ ।

ଶେଷରେ ସାହୁ ସରକାରଙ୍କୁ ସତର୍କ କରାଇ ଦେଇ କହିଛନ୍ତି, “ସରକାର ଯଦି ଏହାକୁ ଗମ୍ଭୀରତାର ସହିତ ନିଅନ୍ତି ନାହିଁ, ତେବେ ଆଗାମୀ ଦିନରେ ପ୍ରତ୍ୟେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଦେଖାଯିବ ।”