ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ
ନୂଆଦିଲ୍ଲୀ (ସଂକେତ ଟିଭି): ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ମନୋନୀତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ନଡ୍ଡା ଏହି ଘୋଷଣା କରିଛନ୍ତି ।
ରାଧାକ୍ରିଷ୍ଣନ ୨୧ ଅଗଷ୍ଟରେ ନାମାଙ୍କନ ଦାଖଲ କରିବେ ବୋଲି ଆଶା କରାଯାଉଛି । ଏହି ଅବସରରେ ଏନଡିଏ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୯ ସେପ୍ଟେମ୍ବରରେ ମତଦାନ ହେବ ଏବଂ ସେହି ଦିନ ଭୋଟ୍ ଗଣନା ମଧ୍ୟ ସମ୍ପନ୍ନ ହେବ । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ୨ିର୍ଦ୍ଧାରିତ ହୋଇଛି ୨୧ ଅଗଷ୍ଟ ।
ଉଲ୍ଲେଖଯୋଗ୍ୟ ଯେ, ଜଗଦୀପ ଧନଖଡ଼ ୨୧ ଜୁଲାଇ ରାତିରେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ୭୪ ବର୍ଷୀୟ ଧନଖଡ଼ଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟ ୨୦୨୭ ପର୍ଯ୍ୟନ୍ତ ଥିଲା । ତାଙ୍କ ଇସ୍ତଫା ପରେ ଏହି ନୂତନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ।