ଲୋକସଭାରେ ତିନୋଟି ବିଲ୍ ଆଗତ: ଗିରଫ ହେଲେ ମନ୍ତ୍ରୀ ଦେବେ ଇସ୍ତଫା
ନୂଆଦିଲ୍ଲୀ (ସଂକେତ ଟିଭି): ବିରୋଧୀ ଦଳଙ୍କ ପ୍ରବଳ ହଙ୍ଗାମା ଏବଂ ବିରୋଧର ମଧ୍ୟରେ ଲୋକସଭାରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତିନୋଟି ନୂଆ ବିଲ୍ ଆଗତ କରିଛନ୍ତି। ଆଗତ କରାଯାଇଥିବା ବିଲ୍ ଗୁଡିକ ହେଉଛି ୧୩୦ତମ ସଂବିଧାନ ସଂଶୋଧନ ବିଲ୍-୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫ ଏବଂ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍-୨୦୨୫।
ଏହି ବିଲ୍ଗୁଡ଼ିକରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀ ଏପରି ଗମ୍ଭୀର ଅପରାଧରେ ଗିରଫ ହୁଅନ୍ତି ଯାହାର ପରିଣାମ ସ୍ୱରୂପ ସର୍ବନିମ୍ନ ୫ ବର୍ଷ ଜେଲ୍ ହୋଇପାରେ ଏବଂ ତାଙ୍କୁ ଲଗାତାର ୩୦ ଦିନ ପାଇଁ ହାଜତରେ ରଖାଯାଏ, ତେବେ ୩୧ ତମ ଦିନରେ ତାଙ୍କୁ ଇସ୍ତଫା ଦେବାକୁ ପଡିବ। ନଚେତ୍ ତାଙ୍କୁ ପଦରୁ ହଟାଇ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ, ଏହି ନିୟମ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପରି ଅନ୍ୟ ବଡ଼ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଏପର୍ଯ୍ୟନ୍ତ ଚାଲୁ ଥିବା ନିୟମ ଅନୁଯାୟୀ, ଯଦି କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗିରଫ ହୁଅନ୍ତି କିମ୍ବା ଜେଲ ଯାଆନ୍ତି, ତେବେ ତାଙ୍କ ଇସ୍ତଫା ଦେବାର କୌଣସି ବାଧ୍ୟତାମୂଳକ ବ୍ୟବସ୍ଥା ନଥିଲା।
ବିଲ୍ ତିନୋଟିକୁ ଆଗତ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହ ଏଗୁଡିକୁ ଏକ ସିଲେକ୍ଟ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ତେଣୁ ଏହି ବିଲ୍ ଆଜି ଲୋକସଭାରେ ପାସ୍ ହୋଇନଥିବା ବେଳେ ଏହାକୁ ସଂସଦର ସିଲେକ୍ଟ କମିଟିକୁ ପଠାଯିବ।
ଏହି ବିଲ୍କୁ ନେଇ ବିରୋଧୀ ଦଳଙ୍କ ତରଫରୁ ତୀବ୍ର ବିରୋଧ ହୋଇଛି। ବିରୋଧୀ ଦଳଙ୍କ ଅଭିଯୋଗ ଯେ କେନ୍ଦ୍ର ସରକାର ଏହି ବିଲ୍ ମାଧ୍ୟମରେ ଅଣ-ଭାଜପା ଶାସିତ ରାଜ୍ୟଗୁଡିକ ଉପରେ ନିୟନ୍ତ୍ରଣ ସାଧିବାକୁ ଚାହୁଁଛନ୍ତି। ଏହି ଅଭିଯୋଗକୁ ନେଇ ଲୋକସଭା ଗୃହରେ ବିରୋଧୀ ସଂସଦମାନେ ଜୋରଦାର ହଙ୍ଗାମା କରିଛନ୍ତି। ବିଲ୍ଟି ଆଗତ ହେବା ପରେ ବିରୋଧୀ ନେତାମାନେ ବିଲ୍ର କପି ଛିଣ୍ଡାଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଡ଼କୁ ଫିଙ୍ଗିଦେଇଥିଲେ।
ଏହି ଘଟଣାକ୍ରମରେ ଲୋକସଭାର କାର୍ଯ୍ୟସୂଚୀ ବ୍ୟାହତ ହୋଇଥିବାରୁ ଗୃହକୁ ଆଜି ତିନୋଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା।