ନବୀନଙ୍କୁ ଭେଟିବା ପାଇଁ ଭୁବନେଶ୍ୱରରେ ପ୍ରେମ୍ ପଟ୍ଟନାୟକ
ଭୁବନେଶ୍ୱର (ସଂକେତ ଟିଭି): ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ନବୀନଙ୍କୁ ଦେଖିବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ତାଙ୍କର ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ । ମୁମ୍ବାଇରେ ନବୀନଙ୍କ ଚିକିତ୍ସା ବେଳେ ପ୍ରେମ୍ ପଟ୍ଟନାୟକ ଡାକ୍ତରଙ୍କ ସହ ଟିକିନିକି ଆଲୋଚନା କରିଥିଲେ । ଏବେ ନବୀନ ଚିକିତ୍ସିତ ହୋଇ ଫେରିବା ପରେ ପ୍ରେମ୍ ପଟ୍ଟନାୟକ ତାଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଆସିଛନ୍ତି ବୋଲି କୁହାଯାଉଛି ।
ଏହି ସମୟରେ ନବୀନଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକଙ୍କର ନବୀନ ନିବାସକୁ ଆଗମନକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ହଲଚଲ ସୃଷ୍ଟି ହୋଇଛି । ପ୍ରେମ୍ ପଟ୍ଟନାୟକଙ୍କ ନବୀନ ନିବାସ ଆସିବା ପଛରେ କେବଳ ସ୍ବାସ୍ଥ୍ୟାବସ୍ଥା ବୁଝିବା ନା ଅନ୍ୟ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି ତାହା ନେଇ ଚର୍ଚ୍ଚା ଜୋର ଧରିଛି ।
ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି, “ଦୁଇ ଭାଇଙ୍କ ଭିତରେ ଖୁବ୍ ଭଲ ଆଲୋଚନା ହେବ । ରାଜ୍ୟର ରାଜନୈତିକ ବିଷୟରେ ମଧ୍ୟ ଆଲୋଚନା ହେବ । ଓଡ଼ିଶା ରାଜନୀତି ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଓଡ଼ିଶା ରାଜନୀତିରେ ବିଜେଡି କେମିତି ଆଗକୁ ବଢିବ ସେଥିରେ ଆଲୋଚନା ହେବ । କେଉଁଠି କ’ଣ ତ୍ରୁଟି ଅଛି ସେଥିରେ ମଧ୍ୟ ଆଲୋଚନା ହେବ । ଦେଶ ଓ ରାଜ୍ୟ ସ୍ତରର ରାଜନୈତିକ ଆଲୋଚନା ହେବ ।”
ଗତ ୧୭ ତାରିଖରେ ଡିହାଇଡ୍ରେସନ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ । ସମ୍ ଅଲଟିମେଟ୍ ମେଡିକେୟାରର ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ଚିକିତ୍ସା କରିଥିଲେ । ବୁଧବାର ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସିଧାସଳଖ ନବୀନ ନିବାସ ଯାଇଥିଲେ । ହସ୍ପିଟାଲରୁ ଫେରିବା ବେଳେ ସାମ୍ବାଦିକଙ୍କୁ ସେ କହିଥିଲେ ଯେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କ ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।